ଘଟଣା ଓ ଦୁର୍ଘଟଣା

ରାସ୍ତାରୁ ଟ୍ରକ୍ ଛଡ଼ାଇ ନେବା ମାମଲା: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବନ୍ଧା ହେଲେ ଦୁଇ ବ୍ୟାଙ୍କ ଅଧିକାରୀ

By Angul TV Bureau

May 16, 2023

ବଅଁରପାଳ: ଚାଳକଙ୍କୁ ମାଡ଼ ମାରି ରାସ୍ତାରୁ ଟ୍ରକ୍ ଛଡ଼ାଇ ନେବା ମାମଲାରେ ନାଲ୍‌କୋନଗର ପୋଲିସ ଦୁଇ ଜଣ ବ୍ୟାଙ୍କ୍ ଅଧିକାରୀଙ୍କୁ ଗିରଫ କରିଛନ୍ତି। ଗିରଫ ଦୁଇ ଅଧିକାରୀ କଟକ ସ୍ଥିତ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କର ପରିଚାଳକ ଶଶୀକାନ୍ତ ସୂତାର ଓ ସୁନ୍ଦରପାଲୀ କିରଣ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନାଲ୍‌କୋ ପୋଲିସ ଉଭୟଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି।

ପୋଲିସ ମୁତାବକ, ଗତ ଜାନୁୟାରୀ ୧୮ ତାରିଖରେ ଖୁଣ୍ଟୁଣି ଅଞ୍ଚଳର ଉପେନ୍ଦ୍ର ଖୁଣ୍ଟିଆଙ୍କ ଟ୍ରକ୍ ଅନୁଗୁଳକୁ ମାଲ୍ ବୋଝେଇ କରି ଆସିଥିଲା। ନାଲକୋନଗର ଥାନା କୁଲାଡ଼ ନିକଟରେ ଟ୍ରକ୍ ଚାଳକ ସଞ୍ଜୟ ଖୁଣ୍ଟିଆଙ୍କୁ ୧୦ରୁ ଅଧିକ ଯୁବକ ମାଡ଼ମାରି ଗାଡ଼ି ଛଡ଼ାଇ ନେଇଥିଲେ। ଏ ନେଇ ଟ୍ରକ୍ ମାଲିକ ନାଲ୍‌କୋନଗର ଥାନାରେ ଏତଲା ଦେଇଥିଲେ । ବ୍ୟାଙ୍କର ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏପରି କରାଯାଇଥିବା ଟ୍ରକ୍ ମାଲିକ ଜାଣିବା ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୋର୍ଟ ଏହାର ଶୁଣାଣି କରି ଅଭିଯୁକ୍ତ ବ୍ୟାଙ୍କ୍ ଅଧିକାରୀ ଦ୍ବୟଙ୍କୁ ଗିରଫ କରିବାକୁ ନାଲ୍‌କୋନଗର ପୋଲିସକୁ ନିର୍ଦ୍ଦେଶ ଦେବା ପରେ ପୋଲିସ ସେମାନଙ୍କୁ ବାନ୍ଧିଛି।