ମୁଖ୍ୟ ଖବର

ଛାତ୍ର ସଂସଦ ନିର୍ବାଚନ ପାଇଁ ଚଳଚଞ୍ଚଳ ପାଳଲହଡ଼ାର ଦୁଇ ମହାବିଦ୍ୟାଳୟ, ପ୍ରାଶାସନିକ ପ୍ରସ୍ତୁତି ବୈଠକ

By Angul TV Bureau

October 08, 2026

ଅନୁଗୋଳ: ଦୀର୍ଘ ବର୍ଷ ପରେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବାରୁ ପାଳଲହଡ଼ା ଉପଖଣ୍ଡର ମାଲ୍ୟଗିରି ମହାବିଦ୍ୟାଳୟ ଓ ଖମାର ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟରେ ନିର୍ବାଚନୀ ମାହୋଲ ଦେଖାଦେଇଛି। ଏନେଇ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଛି।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ୭ ତାରିଖରେ ବିଜ୍ଞପ୍ତି, ୯ ତାରିଖରେ ନାମାଙ୍କନ ଓ ଯାଞ୍ଚ, ୧୦ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୧୪ ତାରିଖରେ ‘Why I Stand For’ ସଭା ଏବଂ ୧୫ ତାରିଖରେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମତଦାନ ହେବ। ସେହିଦିନ ଭୋଟ ଗଣନା ସହ ଫଳାଫଳ ଘୋଷଣା କରାଯିବ। ୧୬ ତାରିଖରେ ଶପଥ ଗ୍ରହଣ ହେବ।ବୈଠକରେ ପ୍ରାର୍ଥୀଙ୍କ ଯୋଗ୍ୟତା, ୭୫ ପ୍ରତିଶତ ଉପସ୍ଥାନ, ନିର୍ବାଚନ ଆଚରଣବିଧି ଓ ଖର୍ଚ୍ଚ ସୀମା ନେଇ ଆଲୋଚନା ହୋଇଥିଲା। ପ୍ରାର୍ଥୀ ପିଛା ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ ଅନୁମୋଦିତ ହୋଇଛି। ଛାପା ପୋଷ୍ଟର, ଲାଉଡସ୍ପିକର ଓ ଯାନବାହନ ବ୍ୟବହାର ଉପରେ କଟକଣା ରହିବ।

ଶାନ୍ତିଶୃଙ୍ଖଳା ପାଇଁ କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ ନିଷେଧ, ପରିଚୟପତ୍ର ଯାଞ୍ଚ, ସିସିଟିଭି ଓ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥା କରାଯିବ। ବୈଠକରେ ପୁଲିସ ଅଧିକାରୀ, ତହସିଲଦାର ଓ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ।