ମୁଖ୍ୟ ଖବର

ଅନୁସୂଚିତ ଜାତି ମୋର୍ଚ୍ଚାର ଦୁଇ ଦିନିଆ ରାଜ୍ୟ ପ୍ରଶିକ୍ଷଣ ଶିବିର, ମୋଦିଙ୍କ ଯୁଗାନ୍ତକାରୀ ଯୋଜନାକୁ ପ୍ରଶଂସା କଲେ ବିଜେପି ରାଜ୍ୟ ସଭାପତି

By Angul TV Bureau

September 18, 2022

ଅନୁଗୁଳ/ଭୁବନେଶ୍ୱର: ଅନୁଗୁଳରେ ଅନୁସୂଚିତ ଜାତି ମୋର୍ଚ୍ଚାର ଦୁଇ ଦିନିଆ ରାଜ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗ ଦେଇ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଲୋକଙ୍କ ପାଇଁ ଅଧିକ କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏ ଅବସରରେ ରାଜ୍ୟ ସଭାପତି କହିଥିଲେ, କେନ୍ଦ୍ର ସରକାର ସେବା, ସୁଶାସନ ଏବଂ ଗରିବକଲ୍ୟାଣ ଉଦ୍ଦେଶ୍ୟରେ ପ୍ରତିବଦ୍ଧତାର ସହ କାମ କରୁଛନ୍ତି। ଶାସନ କ୍ଷମତାକୁ ଆସିବା ପରେ ମୋଦି ସରକାର ବହୁ ଗରିବକଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ମୋଦିଙ୍କ ନୀତି ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ସେବା ଓ ଗରିବ କଲ୍ୟାଣ ସର୍ବୋଚ୍ଚ ପ୍ରାଥମିକତା ଲାଭ କରିଛି। ମୋଦି ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାର ସୁପ୍ରଚାର କରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ସେ ଆହ୍ୱାନ ଦେଇଥିଲେ।

ଏ ଅବସରରେ ଶ୍ରୀ ମହାନ୍ତି କହିଛନ୍ତି, ମୁଦ୍ରା ଯୋଜନାରେ ୩୪ କୋଟି ଅନୁସୂଚିତ ବର୍ଗ ଲୋକେ ଉପକୃତ ହେବା ସହିତ ମୋଦି ସରକାର ୧୮.୬୦ ଲକ୍ଷ କୋଟି ଟଙ୍କା ଋଣ ଯୋଗାଇଛନ୍ତି। ୩. ୧୦ କୋଟି ଅନୁସୂଚିତ ବର୍ଗ ମହିଳା ଉଜ୍ଜ୍ବଳା ଯୋଜନାରେ ମାଗଣାରେ ରୋଷେଇ ଗ୍ୟାସ ପାଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧.୩୧କୋଟି ଅନୁସୂଚିତ ବର୍ଗ ପରିବାରକୁ ପକ୍କା ଘର ଯୋଗାଇ ଦିଆଯାଇଛି। ଅନୁସୂଚିତ ବର୍ଗ ଛାତ୍ରଛାତ୍ରୀଙ୍କ ସ୍କଲାରସିପକୁ ୨ ଗୁଣା ବୃଦ୍ଧି କରାଯାଇଛି। ଏଥିପାଇଁ ୭.୭ହଜାର କୋଟି ଟଙ୍କା ମୋଦି ସରକାର ଅର୍ଥ ବ୍ୟୟ କରିଛନ୍ତି। ଏହିସହ ଅନୁସୂଚିତ ବର୍ଗଙ୍କ ପାଇଁ ସରକାର କରିଥିବା ଅନ୍ୟ ଯୋଜନା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଅନୁଷ୍ଠିତ ସେବାପକ୍ଷ କାର୍ଯ୍ୟକ୍ରମ ଅବସରରେ ଆଜି ଶ୍ରୀ ମହାନ୍ତି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରିବା ସହ ଅନ୍ୟମାନଙ୍କୁ ଗଛ ଲଗାଇବାକୁ ଉତ୍ସାହିତ କରିଥିଲେ। ଅନୁସୂଚିତ ଜାତି ରାଜ୍ୟ ସଭାପତି ବିଭୂ ପ୍ରସାଦ ତରାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଆସନ୍ତାକାଲି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲ୍ ସିଂହ ଆର୍ଯ୍ୟ ଯୋଗ ଦେବେ। କାର୍ଯ୍ୟକ୍ରମରେ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ମଲ୍ଲିକ, କଳ୍ପନା ମଲ୍ଲିକ, ପ୍ରତାପ ପ୍ରଧାନ, ଅଗସ୍ତ ବେହେରା, ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ପ୍ରମୁଖଙ୍କ ସମେତ ସମସ୍ତ ପଦାଧିକାରୀ ଯୋଗ ଦେଇଥିଲେ।