ମୁଖ୍ୟ ଖବର

ଚଡକମରା ଜଙ୍ଗଲରେ ଦୁଇ ହାତୀଙ୍କ ମୃତ ଦେହ ଠାବ: ବିଦ୍ୟୁତ୍ ଆଘାତ ଆଶଙ୍କା

By Biswaranjan Pattnaik

September 05, 2023

ଅନୁଗୁଳ: ଆଜି ସକାଳେ ପୁରୁଣାକୋଟ ଥାନା ଜଗନ୍ନାଥପୁର ନିକଟବର୍ତ୍ତୀ ଚଡ଼କମରା ଜଙ୍ଗଲରେ ଦୁଇ ହାତୀଙ୍କ ମୃତ ଦେହ ଠାବ ହୋଇଥିଲା। ଗ୍ରାମବାସୀଙ୍କ ଠାରୁ ଖବର ପାଇ ଜଙ୍ଗଲବିଭାଗ ଅଧିକାରୀ,ବିଦ୍ୟୁତ୍ ବିଭାଗର ଅଧିକାରୀ ଏବଂ ଶବ ବ୍ୟବଚ୍ଛେଦ ପାଇଁ ପ୍ରାଣୀ ଚିକିତ୍ସକ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଶବ ଦୁଇଟି ଗଳିତ ହୋଇଥିବାରୁ ହାତୀ ଦୁଇଟି ଚାରି ପାଞ୍ଚ ଦିନ ଆଗରୁ ମରିଥିବା କୁହାଯାଇଛି।

ନିକଟରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସେମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ତେବେ ଏକ ଉଚ୍ଚ ସ୍ତରୀୟ ତଦନ୍ତ ପରେ ସବୁ କଥା ସ୍ପଷ୍ଟ ହେବା ଏବଂ ଏଥିନେଇ ଅଭିଯୁକ୍ତ ଅଧିକାରୀଙ୍କୁ କଠିନ ଦଣ୍ଡ ଦେବାକୁ ପରିବେଶ ସୁରକ୍ଷା କର୍ମୀ ଦାବି କରିଛନ୍ତି। ଜଙ୍ଗଲ ବିଭାଗରେ ଵନ୍ୟ ପ୍ରାଣୀଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ହାତୀଙ୍କ ମୃତ୍ୟୁ ହେବା ଅତି ଦୁଃଖ ଦାୟକ ଘଟଣା। ଗତ ଜୁନ ମାସରେ ଶିକାରୀ ଗୁଳିରେ ଅନୁଗୁଳ ବନଖଣ୍ଡ କଟରଙ୍ଗ ଠାରେ ଗୋଟିଏ ହାତୀର ମୃତ୍ୟୁ ଘଟିଥିଲା। ଅନୁଗୁଳରେ ହାତୀ ମଣିଷ ବିବାଦ ତୀବ୍ର ହେଉଥିବା ବେଳେ ଜଙ୍ଗଲ ବିଭାଗର ଉଦାସୀନତାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।