ମୁଖ୍ୟ ଖବର

ଘର ତିଆରି ସାମ୍ପୁ ଯୋଗାଇବା ନାମରେ ଠକେଇ, ରାଜସ୍ଥାନରୁ ଦୁଇ ଜଣଙ୍କୁ ଗିରଫ କଲା ଅନୁଗୁଳ ପୋଲିସ

By Angul TV Bureau

October 13, 2025

ଅନୁଗୁଳ: ଅନଲାଇନରେ ଘର ତିଆରି ସାମ୍ପୁ ଯୋଗାଇବା ନାମରେ ଠକେଇ କରିଥିବା ଦୁଇ ଜଣ ଗିରଫ। ଅନୁଗୁଳର ଜଣେ ମହିଳାଙ୍କୁ ଲୁଟିଥିବା ୨ ସାଇବର ଠକଙ୍କୁ ରାଜସ୍ଥାନରୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ଗୋଟିଏ ଲାପ୍‌ଟପ୍‌, ୨ଟି ମୋବାଇଲ ଫୋନ୍‌, ଏକାଧିକ ସିମ୍, ଗୋଟିଏ ଏଟିଏମ୍‌ କାର୍ଡ ଓ ୨୦ ହଜାର ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ଏଫ୍‌ସିଆଇ ଅଞ୍ଚଳର ଜଣେ ମହିଳା ଉଦ୍ୟୋଗୀ ଇଣ୍ଟରନେଟ୍‌ ମାଧ୍ୟମରେ ଗତ ଏପ୍ରିଲ ମାସରେ ଏହି ଠକଙ୍କ ହାବୁଡ଼ରେ ପଡ଼ିଥିଲେ। ସାମ୍ପୁ ବ୍ୟବସାୟ କରିବା ପାଇଁ ସେମାନେ ମହିଳାଙ୍କୁ ଉତ୍ସାହିତ କରିଥିଲେ। ନିଜେ ଏକ କଂପାନିର ମୁଖ୍ୟ ବୋଲି କହିବା ସହ ୱେବ୍‌ସାଇଟ୍‌ ଠିକଣା ଦେଇଥିଲେ। ମହିଳା ଜଣଙ୍କ ତାଙ୍କୁ ବିଶ୍ବାସ କରି ପର୍ଯ୍ୟାୟକ୍ରମେ ତାଙ୍କ ଆକାଉଣ୍ଟକୁ ୨ ଲକ୍ଷ ୪୯ ହଜାର ଟଙ୍କା ପଠାଇଥି‌ଲେ। କିନ୍ତୁ ତାଙ୍କୁ କୌଣସି ସାମଗ୍ରୀ ମିଳି ନ ଥିଲା। ଫଳରେ ସେ ସାଇବର ଠକଙ୍କ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।

ଏ ସଂପର୍କରେ ମହିଳାଜଣକ ଅନୁଗୁଳ ସାଇବର ଥାନାରେ ଏତଲା ଦେଇଥିଲେ। ପୋଲିସ ୧୨/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ସାଇବର ଥାନା ଓ ସାଇବର ସେଲ୍‌ ସହାୟତାରେ ରାଜସ୍ଥାନରୁ ଦୁଇ ଠକଙ୍କୁ ଗିରଫ କରିଛି। ସେମାନେ ହେଲେ ଅଲୱର ଅଞ୍ଚଳର ବଂଶ କୁମାର(୨୨) ଓ ଗୌରବ କୁମାର(୨୧)। ସେମାନେ ଦୁଇ ଭାଇ। ମହିଳାଙ୍କ ପାଖରୁ ଠକି ନେଇଥିବା ଟଙ୍କାରେ ସେମାନେ ମଉଜ ମଜଲିସ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଅନୁଗୁଳ ପୋଲିସ।