ଘଟଣା ଓ ଦୁର୍ଘଟଣା

ଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ନେଇଗଲେ ଦୁଇ ଛେଳି, ଅଞ୍ଚଳରେ ଭୟର ବାତାବରଣ

By Angul TV Bureau

September 04, 2025

ବଇଣ୍ଡା: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ପାଇକସାହି-ସାନହୁଲା ରାସ୍ତାରେ ଗୁରୁବାର ଦିନ ଗୋଟାଏ ବେଳେ  ଦୁର୍ବୃତ୍ତମାନେ ଭୁଜାଲି ଦେଖାଇ ବନ୍ତୁଲ ଗାଁର ଚନ୍ଦ୍ର ମଣି ସାହୁଙ୍କ ଦୁଇଟି ଛେଳି ନେଇଯାଇଛନ୍ତି। ଘଟଣାଟି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।

ଚନ୍ଦ୍ର ମଣି ବାୟାଣୀ ପିଢ଼ ଜଙ୍ଗଲରେ ୧୫ଟି ଛେଳି ଚରାଉଥିବା ବେଳେ ବର୍ଷା ଯୋଗୁ ସେ ଛେଳି ଗୁଡ଼ିକୁ ଘରକୁ ଫେରାଇ ଆଣୁଥିଲେ। ଏହି ସମୟରେ ପାଇକସାହିରୁ ବଇଣ୍ଡା ଅଭିମୁଖେ ଆସୁଥିବା ଏକ ଇଣ୍ଡିଗୋ କାରରୁ ଦୁଇ ଯୁବକ ବାହାରି ତାଙ୍କୁ ଭୁଜାଲି ଦେଖାଇ ଭୟଭୀତ କରି ଦୁଇଟି ଛେଳି କାର ଡିକିରେ ଭର୍ତ୍ତି କରି ନେଇଯାଇଥିଲେ। ଚନ୍ଦ୍ର ମଣିଙ୍କ ପ୍ରତିବାଦ ସତ୍ତ୍ୱେ ଦୁର୍ବୁତ୍ତମାନେ ତାଙ୍କୁ ଧମକାଇ ଛେଳି ନେଇଯାଇଛନ୍ତି।

ଗରିବ ଶ୍ରେଣୀର ଚନ୍ଦ୍ର ମଣି ଏହି ଘଟଣାରେ ଭୟଭୀତ ହୋଇପଡ଼ିଛନ୍ତି। ତେବେ ଥାନାରେ ଏ ନେଇ ଥାନାରେ କୌଣସି ଅଭିଯୋଗ ଦାୟର ହୋଇନାହିଁ।