ତାଳଚେର : ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ର ମୋହନ ଛକ ନିକଟରେ ଟ୍ରକ ଧକ୍କାରେ ଦୁଇ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ମଧ୍ୟରୁ ଜଣେ ପରଜଙ୍ଗ ଖାଲପାଳ ଅଞ୍ଚଳର ଭାଗିରଥି ମହାନ୍ତି ହୋଇଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ମିଳିନାହିଁ।
ସୂଚନା ମୁତାବକ, ଉଭୟେ ବାଇକ ଯୋଗେ ତାଳଚେର ଅଞ୍ଚଳକୁ ଗାଡିର କିଛି ଯନ୍ତ୍ରାଂଶ କିଣିବାକୁ ଆସୁଥିବା ବେଳେ ପବିତ୍ରମୋହନ ଛକ ଠାରେ ତାଙ୍କୁ ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଟ୍ରକକୁ ଛାଡି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକ ପହଞ୍ଚି କ୍ଷତି ପୂରଣ ଦାବିରେ ଟାୟାର ଜାଳି ୪୯ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଘଟଣାସ୍ଥଳରେ ତାଳଚେର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାଯାଇଛି।