ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ଼ ନିକଟରେ ଆଜି ସନ୍ଧ୍ୟାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ସାଙ୍ଗଙ୍କ ଜୀବନ ଯାଇଛି। ମୃତକ ହେଲେ କଲଣ୍ଡା ଗାଁର ଶାନ୍ତନୁ ବେହେରା(୩୮) ଓ ଆମନା ଗାଁର ଅନୀଲ ପ୍ରଧାନ(୩୨)।ସୂଚନା ଅନୁଯାୟୀ, ଶାନ୍ତନୁ ଓ ଅନୀଲ ତାଳଚେର ଅଞ୍ଚଳରେ ଗାଡ଼ି ଚାଳକ ଭାବରେ କାମ କରନ୍ତି। ସେମାନେ ଆଜି କାମ ସାରି ବାଇକରେ ଘରକୁ ଫେରୁଥିବା ବେଳେ ବାଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟେ ରାସ୍ତା କଡ଼କୁ ଛିଟକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ସେମାନଙ୍କୁ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ବ୍ୟବଚ୍ଛେଦ ପାଇଁ ଦୁଇ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିବା ସୂଚନା ମିଳିଛି।