ମୁଖ୍ୟ ଖବର

ଅଂଶୁଘାତ ନେଲା ୨ ଜୀବନ, ୭ ଜଣ ଗୁରୁତର

By Angul TV Bureau

May 29, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଅଂଶୁଘାତରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ସୂଚନା ମୁତାବକ, ବୁଧବାର ଦିନ ଏକ ଠିକା ସଂସ୍ଥାରେ କାର୍ଯ୍ୟ କରୁଥିବା ଦୁଇ ଜଣ କର୍ମଚାରୀ ରାକେଶ ଗୁପ୍ତ (୫୨) ଓ ଜଗଦୀଶ କୋଲ ସାଇଟରେ କାମ କରୁଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ରାକେଶ ଗୁପ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଜଗଦୀଶଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସେହିଭଳି ଯୋଡ଼ାରୁ ଆଇରନ ନେଇ ଜଣେ ଟ୍ରକ ଡ୍ରାଇଭର ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଟାଟା ଷ୍ଟିଲରକୁ ଆସି ଟ୍ରକ୍ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଟଳି ପଡ଼ିଥିଲେ। ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଅଂଶୁଘାତରେ ଗୁରୁତର ହୋଇ ମାନସ ରଞ୍ଜନ ମହାନ୍ତି (୩୮), ଭରତ ନାଏକ (୩୫), ରାକେଶ ବେହେରା (୨୫), ପମା ଭୋଇ, ଜଗଦୀଶ କୋଏଲ, ବିଘ୍ନନେଶ ଗୋଛୟତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।