ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଛେଣ୍ଡିପଦା -ଜରପଡା ପୂର୍ତ୍ତ ବିଭାଗ ରାସ୍ତାର ବନଦୁର୍ଗା ନିକଟସ୍ଥ ବୁଲାଣିରେ ଏକ ଯାତ୍ରୀବାହି ଅଟୋ ଓଲଟି ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହାଣ୍ଡିଗୋଡାର କୁନା ବେହେରା ଓ ମୁନା ସାହୁ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ବସନ୍ତପୁର ପଞ୍ଚାୟତ ଡେଉଁରିଆଝରଣ ଗାଁର କିଛି ଯୁବକ ଭୋଜି କରିବା ପାଇଁ ଛେଣ୍ଡିପଦା ବନଦୁର୍ଗା ନିକଟକୁ ଆସିଥିଲେ। ସେଠାରୁ ଏକ ଯାତ୍ରୀବାହୀ ଅଟୋରେ ଛେଣ୍ଡିପଦାରୁ ବନଦୁର୍ଗାକୁ ଯାଉଥିବା ବେଳେ ଛେଣ୍ଡିପଦା -ଜରପଡା ପୂର୍ତ୍ତ ବିଭାଗ ରାସ୍ତାର ବନଦୁର୍ଗା ନିକଟସ୍ଥ ବୁଲାଣିରେ ଭାରସାମ୍ୟ ହରାଇ ୫ ଫୁଟ୍ ତଳକୁ ଖସିଯାଇଥିଲା। ଫଳରେ ଅଟୋ ଚାଳକ ମୁନା ସାହୁ ଓ ସାଙ୍ଗରେ ବସିଥିବା କୁନା ବେହେରା ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ଛାତି, ଗୋଡ଼ ଓ ମୁଣ୍ଡରେ ଆଘାତ ଲାଗି ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।