ମୁଖ୍ୟ ଖବର

ନୂଆ ଘର ତିଆରି ବେଳେ ଅଘଟଣ! ପାଇଖାନା ଟାଙ୍କିରେ ଅଣନିଃଶ୍ଵାସୀ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ

By Angul TV Bureau

September 13, 2024

ଅନୁଗୁଳ: ପାଇଖାନା ଟାଙ୍କିରେ ଅଣନିଃଶ୍ଵାସୀ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ଶକ୍ତି ନଗର କଲୋନୀରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଶ୍ରମିକ ଦ୍ୱୟ ହେଲେ ମୟୂରଭଞ୍ଜ ଜିଲ୍ଲାର ଶିବଚରଣ ହାଁସଦାଙ୍କ ପୁଅ ରଘୁ ଓ ଗରସିଂ ନାଗଙ୍କ ପୁଅ ମେଡ଼।

ମିଳିଥିବା ସୂଚନା ମୁତାବକ, ଦେବଗଡ଼ ଜିଲ୍ଲା ହାଡ଼ସୁହାର ଗ୍ରାମର ସୁରେଶ ପ୍ରଧାନ ନୂଆହତା ପଞ୍ଚାୟତର ଶକ୍ତି ନଗର କଲୋନୀରେ ନୂତନ ଘର ନିର୍ମାଣ କରୁଥିଲେ। ଏଠାରେ ପାଇଖାନା ଟାଙ୍କି ଭିତରେ ପଶି ଦୁଇ ଶ୍ରମିକ କାମ କରୁଥିଲେ। ପାଖାପାଖି ଦୁଇ ଘଣ୍ଟା ହେବ ଶ୍ରମିକଙ୍କର ପାଟି ନ ଶୁଭିବାରୁ ମାଲିକ ଓ ଅନ୍ୟ ଶ୍ରମିକ ମାନେ ଭିତରକୁ ଦେଖିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳକୁ ଦୁଇ ଜଣ ଶ୍ରମିକ ଟାଙ୍କିରେ ବୁଡ଼ି ଯାଇଥିବାର ଦେଖିଥିଲେ। ମାଲିକ ଏହା ଦେଖି ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଟାଙ୍କିକୁ ଜେସିବି ସାହାଯ୍ୟରେ ଭାଙ୍ଗି ସେଥିରୁ ମଟର ସାହାଯ୍ୟରେ ପାଣି ବାହାର କରିଥିଲେ ଓ ମୃତ ଦେହକୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ବଅଁରପାଳ ପୋଲିସ ଓ ଡିଏସପି ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।