ଅନୁଗୁଳ : ଅନୁଗୁଳ ସହରରେ ବେଆଇନ ଭାବେ ଚାଲିଥିବା ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କାରବାର ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସହରର ଅମଲାପଡ଼ା ଷଷ୍ଠ ଗଳିରେ ଥିବା ‘ୟେସ୍ ହସ୍ପିଟାଲ୍’ର ଅଲଟ୍ରାସାଉଣ୍ଡ୍ କ୍ଲିନିକ୍କୁ ଟାସ୍କ ଫୋର୍ସ ପକ୍ଷରୁ ଚଢ଼ାଉ କରାଯାଇ ସିଲ୍ କରାଯାଇଛି।ସୂଚନା ଅନୁଯାୟୀ, ଏହି କ୍ଲିନିକ୍ରେ ପ୍ରସବ ପୂର୍ବବର୍ତ୍ତୀ ନିଦାନ କୌଶଳ (ପିସି ଏବଂ ପିଏନ୍ଡିଟି) ଅଧିନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିଲା। ଦୀର୍ଘ ଦିନରୁ ଏଠାରେ ବେଆଇନ ଲିଙ୍ଗ ନିରୂପଣ ରାକେଟ୍ ସକ୍ରିୟ ଥିବା ନେଇ ଅଭିଯୋଗ ହେଉଥିବା ବେଳେ, ଟାସ୍କ ଫୋର୍ସ ଅତର୍କିତ ଚଢ଼ାଉ କରି ଏହାକୁ ସିଲ୍ କରିଛି। ଏହି ଘଟଣାକୁ ନେଇ ସହରରେ ଦୁଇଟି କ୍ଲିନିକ୍ ସିଲ୍ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO) ବର୍ତ୍ତମାନ ସୁଦ୍ଧା ଗୋଟିଏ କ୍ଲିନିକ୍ ସିଲ୍ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି।
ତେବେ ପ୍ରଶାସନର ସ୍କାନରରେ ଆହୁରି ଦୁଇଟି କ୍ଲିନିକ୍ ରହିଥିବା ସୂଚନା ମିଳିଛି। ଯଦି ବେସରକାରୀ କ୍ଲିନିକ୍ଗୁଡ଼ିକ ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ରୁହନ୍ତି, ତେବେ ଜିଲ୍ଲାରେ କନ୍ୟା ଭ୍ରୂଣ ହତ୍ୟା ବୃଦ୍ଧି ପାଇବା ସହ ଲିଙ୍ଗଗତ ଅନୁପାତରେ ଅସନ୍ତୁଳନ ଦେଖାଦେବ ବୋଲି ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକଟ କରାଯାଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।