ମୁଖ୍ୟ ଖବର

ଅନୁଗୁଳ କାରାଗାରରେ ବିଚାରାଧୀନ କଏଦୀ ମୃତ୍ୟୁ: ପରିବାରର ଅଭିଯୋଗ: ମିଳୁନଥିଲା ଠିକ୍‌ଭାବରେ ଚିକିତ୍ସା

By Angul TV Bureau

August 21, 2025

ଅନୁଗୁଳ: ଅନୁଗୁଳ କାରାଗାରରେ ବିଚାରାଧୀନ ଅବସ୍ଥାରେ ଥିବା ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତ କଏଦୀ ହେଲେ ରଘୁନାଥ ସାହୁ (୬୬)। ତାଙ୍କ ଘର ଜରପଡ଼ା ଥାନା ଅନ୍ତର୍ଗତ ବଡହିଂସର ଗାଁରେ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ୨୦୨୩ ଅପ୍ରେଲ୍‌ରୁ ଏକ ହତ୍ୟା ମାମଲାରେ ରଘୁନାଥ ସାହୁ ଓ ତାଙ୍କ ପୁଅ ମାନସ ରଞ୍ଜନ ସାହୁ (୩୦) ବିଚାରାଧୀନ କଏଦୀ ଭାବେ କାରାଗାରରେ ରହୁଥିଲେ। ରଘୁନାଥ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିବାରୁ ପରିବାର ପକ୍ଷରୁ ନିୟମିତ ଔଷଧ ପଠାଯାଉଥିଲା।

ଗତ ତିନି ଦିନ ତଳେ ପରିବାର ସହ କଥା ହୋଇଥିଲେ। କିନ୍ତୁ ଆଜି ସନ୍ଧ୍ୟାରେ ଜେଲ୍‌ କର୍ତ୍ତୃପକ୍ଷ ପରିବାରକୁ ଫୋନ କରି କହିଥିଲେ, ସେ ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ପରିବାର ଲୋକେ ଚିକିତ୍ସାଳୟକୁ ପହଞ୍ଚିଲା ବେଳକୁ ତାଙ୍କ ମୃତ୍ୟୁ ହୋଇ ସାରିଥିଲା।

ତେବେ ରଘୁନାଥଙ୍କୁ କାରାଗାରରେ ଠିକ୍‌ଭାବରେ ଔଷଧ ଦିଆଯାଉନଥିଲା କି ସମୟରେ ଚିକିତ୍ସା ସୁବିଧା ମିଳୁନଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।