ମୁଖ୍ୟ ଖବର

ଟଙ୍କା ଅଭାବରୁ ଔଷଧ ଖାଇ ନ ପାରି ହୋମଗାର୍ଡ ମୃତ, ୪ ମାସ ହେବ ମିଳିନଥିଲା ଦରମା !

By Angul TV Bureau

July 26, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ତୁରଙ୍ଗ ଗ୍ରାମରେ ଟଙ୍କା ଅଭାବରୁ ଔଷଧ ଖାଇ ନ ପାରି ଆଜି ଜଣେ ହୋମଗାର୍ଡଙ୍କର ଜୀବନ ଯାଇଛି। ମୃତ ହୋମଗାର୍ଡ ହେଲେ ପ୍ରଫୁଲ୍ଲ କୁମାର ନାୟକ (୪୫)। ସେ ୨୦ ବର୍ଷ ହେଲା ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିଲେ।

ଆଜି ସକାଳେ ପ୍ରଫୁଲ୍ଲଙ୍କର ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଦ୍ବିପ୍ରହରରେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ପରିବାର ଲୋକଙ୍କୁ ଜଣାଇ ଥିଲେ। ପରିବାର ଲୋକେ କହିଛନ୍ତି ଯେ ପ୍ରଫୁଲ୍ଲଙ୍କୁ ୪ ମାସ ହେବ ଦରମା ମିଳି ନାହିଁ। ଏଣୁ ପରିବାର ଚଳାଇବାରେ ତାଙ୍କୁ କଷ୍ଟ ହେଉଥିଲା। ସେ ସିକଲିଙ୍ଗ୍ ରୋଗରେ ପୀଡିତ ଥିଲେ। ଦରମା ନ ମିଳିବାରୁ ତାଙ୍କ ପାଖରେ ଔଷଧ କିଣିବା ପାଇଁ ପଇସା ନଥିଲା। ସେଥିପାଇଁ ତାଙ୍କ ଜୀବନ ଯାଇଛି ବୋଲି କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ମୃତକଙ୍କ ସ୍ତ୍ରୀ।