ମୁଖ୍ୟ ଖବର

ଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନସୁଖ ମାଣ୍ଡଭିୟ: ଅକ୍ଟୋବର ୨୦୨୪ ପୂର୍ବରୁ ତାଳଚେର ସାର କାରଖାନା ନିର୍ମାଣ ଶେଷ କରିବାକୁ ଘୋଷଣା

By Angul TV Bureau

January 07, 2023

ତାଳଚେର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସହ ଅନୁଗୁଳ ଜିଲ୍ଲା ଗସ୍ତ କରି ତାଳଚେର ସାର କାରଖାନା ପରିଦର୍ଶନ କରିବା ସହ ପ୍ଲାଣ୍ଟର ଅଗ୍ରଗତି କାର୍ଯ୍ୟ ନେଇ ସମୀକ୍ଷା କରିଛନ୍ତି। ଏ ଅବସରରେ ସେ କହିଛନ୍ତି, ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ ଆଧାରିତ ତାଳଚେର ସାର କାରଖାନା ୟୁରିଆ ଓ ସାର ଉତ୍ପାଦନରେ ଭାରତକୁ ଆତ୍ମନିର୍ଭର କରିବ। ସେହିପରି ୨୦୨୪ ଅକ୍ଟୋବର ମାସ ପୂର୍ବରୁ ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଶେଷ ହେବ ଓ ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯିବ ବୋଲି ମାଣ୍ଡଭିୟ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ସମୀକ୍ଷା ଚାଲିଛି। ୧୭,୦୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣାଧୀନ ଦେଶର ପ୍ରଥମ କୋଲ ଗ୍ୟାସିଫିକେସନ ଟେକ୍ନୋଲୋଜି ଆଧାରିତ ତାଳଚେର ସାର କାରଖାନା ୟୁରିଆ ଉତ୍ପାଦନ କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ବୀ କରିବ। ଭାରତକୁ ଆତ୍ମନିର୍ଭର କରିବ। ଦେଶରେ ବହୁଳ ପରିମାଣରେ କୋଇଲା ଗଚ୍ଛିତ ରହିଛି। ପର୍ଯ୍ୟାବରଣ ସମସ୍ୟାକୁ ଦୃଷ୍ଟିରେ ରଖି ସେହି କୋଇଲାକୁ ଅନ୍ୟ କେଉଁ ଉପାୟରେ ଉପଯୋଗ କରାଯିବ ସେ ନେଇ ଚିନ୍ତା କରାଯାଉଛି। ଏହି ପରିପ୍ରେକ୍ଷୀରେ କୋଲ ଟୁ ସିନ ଗ୍ୟାସ ପ୍ରକଳ୍ପ ବିଶ୍ୱରେ ପ୍ରତିପାଦିତ ହୋଇପାରିଛି।

ଏ ଅବସରରେ ଦୁଇ କେନ୍ଦ୍ର ମନ୍ତ୍ରୀ ତାଳଚେର ସାର କାରଖାନା ପରିସରରେ ଚାରାରୋପଣ ମଧ୍ୟ କରିଛନ୍ତି।