ମୁଖ୍ୟ ଖବର

ଓଡ଼ିଶାରେ ରାଜପଥ ନିର୍ମାଣର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ: ଅନୁଗୁଳ-ସମ୍ବଲପୁର ଏନଏଚ୍, କୋଷ୍ଟାଲ ହାଇଓ୍ୱେ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା

By Angul TV Bureau

July 27, 2023

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା କରିବା ସହ ଆଲୋଚନା କରିଛନ୍ତି।

ଏ ନେଇ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପରିବହନ ମନ୍ତ୍ରୀଙ୍କ ସହ କଟକ-ସମ୍ବଲପୁର ଜାତୀୟ ରାଜପଥର ଅଗ୍ରଗତି ନେଇ ଆଲୋଚନା ହୋଇଛି। କୋଷ୍ଟାଲ ହାଇଓ୍ୱେ, ସମ୍ବଲପୁର ରିଙ୍ଗ୍ ରୋଡ, କ୍ୟାପିଟାଲ ରିଙ୍ଗ୍ ରୋଡ୍ କାର୍ଯ୍ୟର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା ହୋଇଛି । ସେହିପରି ଢେଙ୍କାନାଳ ଜିଲ୍ଲାର ଭୁବନ ଓ କାମାକ୍ଷାନଗର ଦେଇ ଯାଇଥିବା ଡୁବୁରିରୁ ବହ୍ଲର ଛକ ପର୍ଯ୍ୟନ୍ତ ୫୩ ନମ୍ବର ଜାତୀୟ ରାଜପଥ, ଗୋଡିବନ୍ଧରୁ ବଅଁରପାଳ ପର୍ଯ୍ୟନ୍ତ ରାଜପଥର ପ୍ରଶସ୍ତିକରଣ ସମେତ ଅନ୍ୟାନ୍ୟ ପ୍ରକଳ୍ପ ଉପରେ ମଧ୍ୟ ବୈଠକରେ ଚର୍ଚ୍ଚା ହୋଇଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ସବୁ ରାଜପଥ ପ୍ରକଳ୍ପଗୁଡ଼ିକର ପରିବେଶ ମଞ୍ଜୁରୀ, ଟେଣ୍ଡର ପ୍ରକ୍ରିୟା, ଆଲାଇନମେଣ୍ଟ ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟରେ ଆଲୋଚନା ହୋଇଛି। ଆଲୋଚନା ହୋଇଥିବା ସବୁ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ଶ୍ରୀ ଗଡକରୀ ଆଶ୍ୱସ୍ତ କରିଥିବା ଶ୍ରୀ ପ୍ରଧାନ କହିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏନଏଚଏଆଇର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।