ମୁଖ୍ୟ ଖବର

ମୋଦି ସରକାରରେ ବଦଳିଛି ଶ୍ରମର ପରିଭାଷା: ‘ନାଲକୋ ଠିକା ମଜଦୁର ସଂଘ’ର ରୌପ୍ୟ ଜୟନ୍ତୀରେ ଯୋଗ ଦେଇ ବିବୃତି ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By Angul TV Bureau

May 21, 2023

ଅନୁଗୁଳ: ରବିବାର ଅନୁଗୁଳର ନାଲକୋ ଅଡିଟୋରିୟମରେ ନାଲକୋ ଠିକା ମଜଦୁର ସଂଘର ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ମୋଦି ସରକାରରେ ଦେଶରେ ଶ୍ରମର ପରିଭାଷା ବଦଳିଛି ବୋଲି କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଠିକା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ମୂଲ୍ୟକୁ ସର୍ବାଧିକ ବୃଦ୍ଧି ସହ ସେମାନଙ୍କ ସାମାଜିକ ସୁରକ୍ଷାକୁ ଅଧିକ ଧ୍ୟାନ ଦିଆଯାଇଛି। ଶ୍ରମିକ ଭାଇ ଭଉଣୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା ହୋଇଛି। ମୋଦି ସରକାରରେ ଦେଶରେ ଶ୍ରମଶକ୍ତିର ସମ୍ମାନ ବଢିଛି।

ଏ ଅବସରରେ ସେ ନାଲକୋରେ ସ୍ଥାନୀୟ ସ୍କୁଲ ଗୁଡିକରେ ଅଧିକ ଶିକ୍ଷକ ନିଯୁକ୍ତି କରାଯାଉ । କଲୋନୀ ଭିତରୁ ସ୍କୁଲ ପିଲାଙ୍କ ପାଇଁ ବସ ଚଳାଚଳ କରିବାର ବ୍ୟବସ୍ଥା ହେଉ । ଏହାସହ ଠିକା ଶ୍ରମିକ ମାନଙ୍କ କଲ୍ୟାଣ ଏବଂ ସେମାନଙ୍କ ଅନ୍ୟାନ୍ୟ ଦାବିକୁ ଯଥୋଚିତ ସମ୍ମାନ ଦେବା ପାଇଁ ନାଲକୋ ପରିଚାଳନା କମିଟିକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏଠାରେ ପ୍ରତିଷ୍ଠିତ ଇଏସଆଇ ହସ୍ପିଟାଲ ଦ୍ୱାରା ଶ୍ରମିକ ବନ୍ଧୁମାନେ ଉପକୃତ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ନାଲକୋର ଚକ୍ଷୁ ଚିକିତ୍ସାଳୟ ଖୋଲିବା ପାଇଁ ଏଲ.ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।