ମୁଖ୍ୟ ଖବର

ଅନୁଗୁଳରେ ଇଏସ୍‌ଆଇ ଡାକ୍ତରଖାନା ଓ ଝାରସୁଗୁଡ଼ାରେ ଇଏସଆଇସି କାର୍ଯ୍ୟାଳୟକୁ ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By Angul TV Bureau

June 15, 2022

ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ଆଠ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳ ଜିଲ୍ଲା ବଳରାମପ୍ରସାଦଠାରେ ଆୟୋଜିତ ହୋଇଯାଇଛି ଗରିବ କଲ୍ୟାଣ ସମ୍ମିଳନୀ। କାର୍ଯ୍ୟକ୍ରମରେ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରମେଶ୍ୱର ତେଲି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।

ଏ ଅବସରରେ ଅନୁଗୁଳ ଜିଲ୍ଲା ବଳରାମପ୍ରସାଦରେ ଇଏସ୍‌ଆଇ ଡାକ୍ତରଖାନା ଏବଂ ଝାରସୁଗୁଡ଼ାରେ ଇଏସଆଇର ଉପ-ଆଞ୍ଚଳିକ କାର୍ଯ୍ୟାଳୟ ଲୋକାର୍ପିତ ହୋଇଛି। ବଳରାମପ୍ରସାଦରେ ୬୫ କୋଟି ଟଙ୍କା ବ୍ୟୟରେ ୧୦୦ ଶଯ୍ୟା ବିଶିଷ୍ଟ ଇଏସ୍‌ଆଇ ହସ୍ପିଟାଲ ସ୍ଥାପନ ହୋଇଛି। ଏହା ଦ୍ୱାରା ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ପ୍ରାୟ ୩ ଲକ୍ଷ ଲୋକ ଉପକୃତ ହେବେ। ଆଗାମୀ ଦିନରେ ରାଜ୍ୟରେ ୩ଟି ନୂଆ ଇଏସ୍‌ଆଇ ହସ୍ପିଟାଲ ଓ ୧୨ଟି ଡିସପେନସିଆରୀ ଖୋଲିବ ବୋଲି ଏ ଅବସରରେ ମନ୍ତ୍ରୀ ସୂଚନା ଦେଇଥିଲେ।

ସେହିପରି ଝାରସୁଗୁଡାରେ ଇଏସଆଇସିର ଉପ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବା ପାଇଁ ଗତବର୍ଷ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଇଏସ୍‌ଆଇସି ଉପ ଆଞ୍ଚଳିକ କାର୍ଯ୍ୟାଳୟ ଦ୍ୱାରା ପଶ୍ଚିମ ଓଡ଼ିଶାର ୧୩ ଜିଲ୍ଲା ଉପକୃତ ହେବେ। ପ୍ରାୟ ୨ ଲକ୍ଷ ବୀମାଭୁକ୍ତଧାରୀ ଶ୍ରମିକ ଓ କର୍ମଚାରୀ ଉପକୃତ ହେବେ। ଇଏସ୍‌ଆଇ ଅଧୀନରେ ଅନେକ ହିତାଧିକାରୀ ଓ ଦିବ୍ୟାଙ୍ଗଙ୍କୁ ପେନସନ, ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ।