ମୁଖ୍ୟ ଖବର

ଡା.ଦାମୋଦର ରାଉତଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନୁଗୁଳ ବିଜେପିର ଶୋକ

By Angul TV Bureau

March 22, 2024

ଅନୁଗୁଳ: ଓଡ଼ିଶା ରାଜନୀତିର ପ୍ରଭାବଶାଳୀ ନେତା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଶୋକ ବାର୍ତ୍ତାରେ କହିଛନ୍ତି, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଦୀର୍ଘ ବର୍ଷ ଧରି ରାଜନୀତିରେ ସକ୍ରିୟ ରହି ସେ ଲୋକ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ଜଣେ ସ୍ପଷ୍ଟବାଦୀ ଓ ଅନୁଭବୀ ରାଜନେତାଙ୍କୁ ହରାଇଲା। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ ଯୋଗେ ପ୍ରକାଶ କରିଛନ୍ତି।

ଅନ୍ୟପଟେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି କହିଛନ୍ତି, ୧୯୭୪ ମସିହାରୁ ଡା. ରାଉତଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଥିଲା। ମୋ ପିଲା ଦିନରୁ ତାଙ୍କୁ ଜାଣିଛି, ସେ କିଛିଦିନ ପାଇଁ ଆମ ଦଳରେ ମଧ୍ୟ ସାମିଲ ହୋଇଥିଲେ। ଓଡିଶା ରାଜନୀତିରେ ତାଙ୍କ ପରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହେବ ବୋଲି ଶ୍ରୀ ପାଣି ପ୍ରକାଶ କରିଛନ୍ତି।

ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଡା ରାଉତଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରାଯାଇଛି। ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ଏନ ଏସ ଆଇ ସି ଡାଇରେକ୍ଟର କାଳନ୍ଦି ସାମଲ, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା ଓ ପ୍ରତିମା ମିଶ୍ର, ଅନୁଗୁଳ ଜୋନ୍ ମିଡିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।