ମୁଖ୍ୟ ଖବର

ଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ ଦେଲେ ପୂଜା ଭେଟି

By Angul TV Bureau

September 25, 2022

ଅନୁଗୁଳ: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲା ଗସ୍ତ କରି ରେଳ ଷ୍ଟେସନ ସହ ବିଭିନ୍ନ ରେଳ ପ୍ରକଳ୍ପ ଓ ତାଳଚେର-ଅନୁଗୁଳ ଲୁପ ଲାଇନ କାର୍ଯ୍ୟର ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ଏ ଅବସରରେ ମନ୍ତ୍ରୀ ରେଳ ବଗି, ସୁପରଭିଜନ କାର୍ଟରେ ବସି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଥିଲେ।

ଅନୁଗୁଳ, ତାଳଚେର ଓ ଢେଙ୍କାନାଳରେ ପ୍ରାୟ ୨୫୦୦ କୋଟି ଟଙ୍କା ବ୍ୟୟରେ ଅନେକ ପ୍ରକଳ୍ପ କାର୍ଯ୍ୟର କ୍ରିୟାନ୍ଵୟନ ହେଉଛି। ଏହି ପ୍ରକଳ୍ପ ଅଧୀନରେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଲାଇନ ହେବା ସହ ଅନୁଗୁଳ, ତାଳଚେର, ତାଳଚେର ରୋଡ ଓ ଢେଙ୍କାନାଳ ଷ୍ଟେସନର ପୁନରୁଦ୍ଧାର କାର୍ଯ୍ୟ ଆସୁଛି। ଅନୁଗୁଳରୁ ତାଳଚେର ପାସେଞ୍ଜର ଲାଇନର କାର୍ଯ୍ୟ ୫୦୦ କୋଟି ବିନିମୟରେ ହେବାକୁ ଥିବା ବେଳେ ଶିଳ୍ପ ଓ ଖଣି ଖାଦାନ ଅଞ୍ଚଳରେ ମାଲ ପରିବହନ ପାଇଁ ଦୁଇଟି ଟ୍ରେନ ଲାଇନ ହେବା ପାଇଁ ନିଷ୍ପତ୍ତି ହୋଇଛି। ଏହା ସହ ସିଧାସଳଖ କୋଲକାତାକୁ ଏକ ଟ୍ରେନ ଚଳାଇବା ପାଇଁ ଜିଲ୍ଲାବାସୀଙ୍କ ଦାବି ଦୀର୍ଘବର୍ଷ ପରେ ପୂରଣ ହେଉଛି। ଏଣୁ ଏହାକୁ ପୂଜା ଭେଟି ବୋଲି କହି ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏଥିସହ ଅନୁଗୁଳ ରେଲୱେ ଷ୍ଟେସନ ନିକଟରେ ରେଳ ବିଭାଗର ଅଧିକାରୀ ଓ ଦଳୀୟ କର୍ମକର୍ତ୍ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ’ କାର୍ଯ୍ୟକ୍ରମ ଶୁଣିଥିଲେ।