ମୁଖ୍ୟ ଖବର

ଅନୁଗୁଳ ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ଓ ପରିଦର୍ଶନ କରିବେ

By Angul TV Bureau

September 15, 2025

ଅନୁଗୁଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୬ ସେପ୍ଟେମ୍ବର (ମଙ୍ଗଳବାର) ଅନୁଗୁଳ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ସେ ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ଓ ପରିଦର୍ଶନ କରିବେ। ଜିଲ୍ଲା ମିଡ଼ିଆ ସେଲ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ଏମସିଏଲ (MCL)ର ଆରପିଡିଏସି ବୈଠକରେ ଯୋଗଦେବେ।

ଏହାପରେ ସେ ଡିଏମଏଫ (DMF) ବୈଠକରେ ଅଂଶଗ୍ରହଣ କରି ଜିଲ୍ଲାର ନୂତନ ବିକାଶମୂଳକ ପ୍ରକଳ୍ପଗୁଡ଼ିକ ଉପରେ ସମୀକ୍ଷା କରିବେ। ଏହାସହ ସେ ଅନୁଗୁଳର ଆଲୁମିନିୟମ ପାର୍କ ପରିଦର୍ଶନ କରି ଚାଲିଥିବା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ଏହାପରେ ସେ ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜକୁ ପରିଦର୍ଶନ କରିବେ। ଅନୁଗୁଳ ଗସ୍ତ ଶେଷ କରି କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଅଭିମୁଖେ ଯାତ୍ରା କରିବେ।

କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ ଏହି ଗସ୍ତ ସଫଳ ଓ ସୁଚାରୁ ରୂପେ ସମ୍ପନ୍ନ ହେବା ପାଇଁ ସମସ୍ତ ଆୟୋଜନ କରାଯାଉଛି। ଏହି ଗସ୍ତ ଅନୁଗୁଳ ଜିଲ୍ଲାର ବିକାଶ ପ୍ରକଳ୍ପଗୁଡ଼ିକୁ ଗତିଶୀଳ କରିବା ସହ ଅଞ୍ଚଳର ଅର୍ଥନୈତିକ ଓ ଶିକ୍ଷାଗତ ଅଗ୍ରଗତିକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।