ମୁଖ୍ୟ ଖବର

ମହାସପ୍ତମୀରେ ଅନୁଗୁଳରେ ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ଙ୍କ ଆଶୀର୍ବାଦ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By Angul TV Bureau

October 21, 2023

ଅନୁଗୁଳ: ଆଜି ମହାସପ୍ତମୀ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୃହ ଜିଲ୍ଲା ଅନୁଗୁଳରେ ଦୁର୍ଗାପୂଜା ମଣ୍ଡପ ବୁଲିବା ସହ ପୂଜା କମିଟି ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶୁଶୁଡ଼ା, ହୁଲୁରିସିଂହା, ଅନୁଗୁଳ ବଜାର, ଶିମିଳିପଡ଼ା, ଅମଲାପଡ଼ାର ପୂଜା ମଣ୍ଡପ ବୁଲିବା ସହ ମା’ ଦୁର୍ଗାଙ୍କ ଦର୍ଶନ କରିଥିଲେ। ଶାରଦୀୟ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି, ଶକ୍ତି, ମାୟା ଓ ପ୍ରକୃତିର ପ୍ରତୀକ ହେଉଛନ୍ତି ମା’ ଦୁର୍ଗା ଏବଂ ଦୁର୍ଗାପୂଜା ହେଉଛି ଆନନ୍ଦ ଓ ଉତ୍ସାହର ପର୍ବ। ଆସୁରିକ ଶକ୍ତି ଉପରେ ଦିବ୍ୟଶକ୍ତି ; ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ୟାୟ ଉପରେ ନ୍ୟାୟର ଚିରନ୍ତନ ବିଜୟର ପ୍ରତୀକ। ଅନୁଗୁଳରେ ଦୁର୍ଗାପୂଜାରେ ମାତୃଶକ୍ତିଙ୍କ ଯୋଗଦାନ ଅଭୂତପୂର୍ବ। ଅପାର ସମ୍ଭାବନାର ଅଞ୍ଚଳ ଅନୁଗୁଳ ଜିଲ୍ଲା ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ଦୁର୍ଗା, ମା’ ହିଙ୍ଗୁଳା ଓ ମା’ ବୁଢୀ ଠାକୁରାଣୀଙ୍କ ଆଶୀର୍ବାଦରୁ ସମ୍ପନ୍ନତାର ଶିଖରରେ ପହଞ୍ଚୁ ଏବଂ ଲୋକଙ୍କ ମଧ୍ୟରେ ସ୍ନେହ, ଭାଇଚାରା ବ୍ୟାପକ ହେଉ। ଦୁର୍ଗାପୂଜାର ଏହି ମହାପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣିଦେଉ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।