ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଅନୁଗୁଳ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ଯୋଗଦେବେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଶୁକ୍ରବାର ରାତିରେ ସେ ଅନୁଗୁଳରେ ପହଞ୍ଚିବା ପରେ ମାର୍ଚ୍ଚ ୨୧ ତାରିଖ ସକାଳ ୯ଟାରେ ତୁରଙ୍ଗଠାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହକୁ ଉଦଘାଟନ କରିବେ। ଏହାପରେ ପୂର୍ବାହ୍ନ ୧୦ଟାରେ ଡେରଜଙ୍ଗ ଡ୍ୟାମରେ ନୂତନ ଭାବେ ଆରମ୍ଭ ହେବାକୁ ଥିବା ବୋଟିଂ ସେବାର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।
ସେହିପରି ଦିନ ୧୧ଟାରେ କେନ୍ଦ୍ରମନ୍ତ୍ରୀ ଛେଣ୍ଡିପଦା ଗସ୍ତ କରି ସେଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ କରିବେ। ଅପରାହ୍ନ ୨ଟାରେ ଛେଣ୍ଡିପଦାଠାରେ ବିଜେପିର ନୂତନ କାର୍ଯ୍ୟାଳୟ ଉଦଘାଟନ ହେବାକୁ ଥିବାବେଳେ ଅପରାହ୍ନ ୪ଟାରେ ବାଗେଡ଼ିଆରେ ଅନୁଷ୍ଠିତ ଭଲିବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସେ ଯୋଗଦେବେ। କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ସ୍ଥାନୀୟ ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିବା ବେଳେ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।