ମୁଖ୍ୟ ଖବର

ସ୍ୱାବଲମ୍ବୀ ହେବେ ସାତକୋଶିଆର ପୁନର୍ବାସିତ ପରିବାର: ଜିନ୍ଦଲ ଫାଉଣ୍ଡେସନର ନିଆରା ପ୍ରୟାସ

By Angul TV Bureau

February 25, 2026

ଅନୁଗୁଳ: ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରୁ ସ୍ୱେଚ୍ଛାକୃତ ଭାବେ ପୁନର୍ବାସିତ ହୋଇଥିବା ପରିବାରଗୁଡ଼ିକୁ ସ୍ୱାବଲମ୍ବୀ କରିବା ପାଇଁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଧଉରାଗୋଠ ଗ୍ରାମରେ ଏକ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜିଲ୍ଲା ପ୍ରଶାସନ ସହଯୋଗରେ ସ୍ଥାନାନ୍ତରିତ ହୋଇଥିବା ଏହି ପରିବାରଗୁଡ଼ିକୁ ନୂତନ ଜୀବିକା ଯୋଗାଇବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। ତାଲିମ ଜରିଆରେ ଅଂଶଗ୍ରହଣକାରୀମାନେ ଛତୁ ଚାଷର ପ୍ରସ୍ତୁତି, ଅମଳ ଏବଂ ବିକ୍ରୟ କୌଶଳ ଶିକ୍ଷା କରିବା ସହ ଏହାର ପୁଷ୍ଟିକର ମୂଲ୍ୟ ଓ ଆୟର ସମ୍ଭାବନା ବିଷୟରେ ଜାଣିବାକୁ ପାଇଥିଲେ।

ଏହି ଅବସରରେ ବନଖଣ୍ଡ ଅଧିକାରୀ ଗଦାଧର ପାତ୍ର, ଜିନ୍ଦଲ ଷ୍ଟିଲର ସିଏସଆର ଉପାଧ୍ୟକ୍ଷ ରିଷି ପଠାନିଆ ଏବଂ ମହାପ୍ରବନ୍ଧକ ଜୟନ୍ତ କୁମାର ମହାନ୍ତି ଉପସ୍ଥିତ ଥିଲେ। ପୁନର୍ବାସିତ ସମୁଦାୟଙ୍କ ମଧ୍ୟରେ ଆର୍ଥିକ ସ୍ଥିରତା ଆଣିବା ସହ ପରିବେଶ ସଂରକ୍ଷଣକୁ ସମର୍ଥନ କରିବା ଫାଉଣ୍ଡେସନର ଉଦ୍ଦେଶ୍ୟ। ସୂଚନାଯୋଗ୍ୟ ଯେ, ଜିନ୍ଦଲ ଫାଉଣ୍ଡେସନ୍ ଗତ ଏକ ବର୍ଷ ଧରି ପ୍ରାୟ ୧,୦୦୦ ଜଙ୍ଗଲବାସୀ ପରିବାରକୁ ନିୟମିତ ଶୁଖିଲା ରାସନ୍ ସହାୟତା ମଧ୍ୟ ପ୍ରଦାନ କରିଆସୁଛି।