ମୁଖ୍ୟ ଖବର

ଧାନ ଫସଲରେ ଅଜଣା କୀଟ!

By Angul TV Bureau

September 06, 2025

ଅନୁଗୁଳ: ବଅଁରପାଳ ବ୍ଲକର ବିଭିନ୍ନ ପଞ୍ଚାୟତରେ ଧାନ ଚାଷ ଉପରେ ଏବେ ଅଜଣା କୀଟ ଆକ୍ରମଣ କରିଛି। ଯାହା ଫଳରେ ଚାଷୀ ମୁଣ୍ଡରେ ହାତ ଦେଇଛି। ଏହି ରୋଗରେ ଧାନ ଗଛ ଗୁଡିକ ଅଗ୍ରଭାଗରୁ ଉକ୍ତ କୀଟ କାଟି ପକାଉଛି। ଯେଉଁ ସମୟରେ ଧାନ ମାଢ଼ି ହୋଇ ଉପରକୁ ଉଠିବା କଥା ସେ ସମୟରେ ଧାନ ଗଛ ହାତେରୁ ଉପରକୁ ଉଠିନାହିଁ।

ଅଦିନିଆ ବର୍ଷା ପ୍ରଥମେ ଚାଷ ପାଗକୁ ପଛେଇ ଦେଇଥିବା ବେଳେ ବର୍ତ୍ତମାନ ରୋଗପୋକ କାରଣରୁ ଅବସ୍ଥା କହିଲେ ନସରେ। ମହିଧରପୁର, ତଳମୂଳ, ଖନ୍ଦାନାଳି, ଫୁଲପଡା ଆଦି ଅଞ୍ଚଳରେ ଏକର ଏକର ଚାଷରେ ଏହି ପୋକ ଲାଗିଥିବା ଦେଖାଯାଇଛି। ଏପରିକି କ୍ଷେତ୍ର ପରିଦର୍ଶନରେ କୌଣସି ଅଧିକାରୀ କି କର୍ମଚାରୀ ଆସୁନଥିବା ଚାଷୀ ଅଭିଯୋଗ ଆଣିଛନ୍ତି।

ଅପରପକ୍ଷେ ଚାଷୀ କେଉଁ ଔଷଧ ପ୍ରାୟୋଗ କରିବ ତାହା ଜାଣିପାରୁନାହିଁ। ଦୋକାନୀ ଠାରୁ ଔଷଧ କିଣି ହାତରେ ଝାଡୁ ଧରି ଔଷଧ ସିଞ୍ଚନ କରୁଛନ୍ତି। କାରଣ ଔଷଧ ସିଞ୍ଚନ ପାଇଁ ଚାଷୀ ମାନଙ୍କ ପାଖରେ କୌଣସି ସରଞ୍ଜାମ ମଧ୍ୟ ନାହିଁ। କୃଷି ବିଭାଗ ପକ୍ଷରୁ କୌଣସି ପ୍ରକାର ସହାୟତା ମିଳୁ ନଥିବା ଚାଷୀ ଅଭିଯୋଗ କରିଛନ୍ତି।