ଅନ୍ୟାନ୍ୟ

ଉପବାଚସ୍ପତିଙ୍କୁ ସମ୍ବର୍ଦ୍ଧନା

By Biswaranjan Pattnaik

October 06, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକ୍ ଅନ୍ତର୍ଗତ ଗୋତମରା ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ମଙ୍ଗଳବାର ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଓଡିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଗୋତମରା ଗ୍ରାମ୍ୟ କମିଟି, ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ସୂଚନା ମୁତାବକ, ନିଜ ଗାଁ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫାଇଭ ଟି ଯୋଜନା ଅନ୍ତର୍ଗତ ସ୍କୁଲର ଟ୍ରାନ୍ସଫୋରମେସନ କାର୍ଯ୍ୟ ଅତି ଉନ୍ନତମାନର ଏବଂ ପ୍ରଶଂସନୀୟ ହଉଥିବା ହେତୁ ସାରା ପଞ୍ଚାୟତର ସର୍ବସାଧାରଣଙ୍କ ଉଦ୍ୟମରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଛି। ଗୋତମରା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୁସୁମାଞ୍ଜଳି ଜେନାଙ୍କ ସଭାପତିତ୍ୱ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ କୁମୁଦ ବିହାରୀ ସିଂହ, ସତ୍ୟବାନ ବରାହ, ପୁରନ୍ଦର ବିଶ୍ୱାଳ, ପିତାମ୍ବର ସାହୁ, ଦୟାନିଧି ବିଶ୍ୱାଳ, ସରପଞ୍ଚ ଆଭା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ପଞ୍ଚାୟତର ସର୍ବସାଧାରଣ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ।