ଅନୁଗୁଳ: ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଅନୁଗୁଳ ଗସ୍ତ କରି ସହରର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ପୂର୍ବାହ୍ନରେ ଶୈଳଶ୍ରୀକ୍ଷେତ୍ର ଦର୍ଶନ ଓ ଆହାର କେନ୍ଦ୍ରର ଖାଦ୍ୟ ମାନ ଅନୁଧ୍ୟାନ କରିଥିଲେ। ପରେ ସର୍କିଟ ହାଉସଠାରେ ତାମଡା (TAMDA)ର ୨୯ତମ ବୈଠକରେ ଯୋଗଦେଇ ମାର୍କେଟ କମ୍ପ୍ଲେକ୍ସ ଓ କଲ୍ୟାଣ ମଣ୍ଡପର ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦେଇଥିଲେ।
ଅପରାହ୍ନରେ ସେ ‘ଦୁଡା’ (DUDA) ବୈଠକରେ ସାମିଲ ହୋଇ ବର୍ଜ୍ୟବସ୍ତୁ ପରିଚାଳନା, ପାନୀୟ ଜଳ ଓ ପିଏମ୍ ଆବାସ ଯୋଜନାର ସମୀକ୍ଷା କରିଥିଲେ। ଏହି ଅବସରରେ ମନ୍ତ୍ରୀ ପ୍ରାୟ ୫.୦୪ କୋଟି ଟଙ୍କା ବ୍ୟୟରେ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଏଥିରେ ନୂତନ ଭେଣ୍ଡିଂ ଜୋନ୍, ଶ୍ମଶାନ, ପାର୍କ ଓ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ଅଞ୍ଚଳର ବହୁ ବିଧାୟକ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ। ସହରାଞ୍ଚଳର ଜୀବନଶୈଳୀରେ ଉନ୍ନତି ଆଣିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।