ମୁଖ୍ୟ ଖବର

ଉତ୍କଳ ସାମ୍ୱାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଆୟୋଜିତ ହେଲା ଅନୁଗୁଳ ଜିଲ୍ଲା ସାମ୍ୱାଦିକ ସଂଘର ବାର୍ଷିକ ଉତ୍ସବ

By Angul TV Bureau

March 02, 2025

ଅନୁଗୁଳ: ଉତ୍କଳ ସାମ୍ୱାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଗୁଳରେ ଅନୁଷ୍ଠିତ ହୋଇଛି। ବୈଠକରେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗଦେଇ ସାମ୍ୱାଦିକ ସୁରକ୍ଷା ଆଇନ୍‌‍ ପ୍ରଣୟନ, ପେନ୍‌‍ସନ ପ୍ରଦାନ ଓ ସ୍ଵାସ୍ଥ୍ୟବୀମା ଯୋଜନାରେ ପିତାମାତା ଓ ୨୫ ବର୍ଷରୁ ଊର୍ଦ୍ଧ୍ୱ ସନ୍ତାନ ସନ୍ତତିମାନଙ୍କୁ ସାମିଲ କରିବା ଆଦି ଦାବି ପ୍ରତି ସମର୍ଥନ ଜଣାଇଥିଲେ। ଅତିଥିମାନେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଆଲୋଚନା କରିବେ ବୋଲି ମତପ୍ରକାଶ କରିଥିଲେ।  

ଅନୁଗୁଳ ଜିଲ୍ଲା ଶାଖା ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଉତ୍କଳ ସାମ୍ୱାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଯୋଗଦେଇ ସାମ୍ୱାଦିକଙ୍କ ବୃତ୍ତିଗତ ସମସ୍ୟା ସମାଧାନ ଦିଗରେ ସରକାର ଆଶୁ ପଦକ୍ଷେପ ଗ୍ରହଣ ନକଲେ ବ୍ୟାପକ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବାକୁ ସାମ୍ୱାଦିକଙ୍କୁ ଆହ୍ୱାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ରାଜେନ୍‌‍ ଚୌଧୁରୀ,  ଜିଲ୍ଲା ସାଧାରଣ ସମ୍ପାଦକ ତଥା ରାଜ୍ୟ ଉପସଭାପତି ଡ. ରଶ୍ମିରଞ୍ଜନ ମିଶ୍ର, ଉପଦେଷ୍ଟା ଦେବୀ ମିଶ୍ଵ, ସଂଗ୍ରାମ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।ଏହା ପୂର୍ବରୁ ରାଜ୍ୟ ସଭାପତି ଶ୍ରୀ କରଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଦୁଇ ଶହରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତି ପାଇଁ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ପରେ ସାମ୍ୱାଦିକମାନେ ସାତକୋଶିଆ ବୁଲି ଦେଖିଥିଲେ।