ଅନୁଗୁଳ: ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସଭାଘର ଠାରେ ଉତ୍କଳ କ୍ୟୁକୋସିନ କରାଟେ ଓ ଯୋଗ ସଂଗଠନ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା-୨୦୨୪ ଉଦଘାଟିତ ହୋଇଯାଇଛି।
ଦୁଇ ଦିନିଆ ଏହି ପ୍ରତିଯୋଗିତାକୁ ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଯୁକ୍ତ ଦୁଇ ହାୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ସିଦ୍ଧନାଥ ସାହୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ। ଶ୍ରୀ ସାହୁ ନିଜ ଅଭିଭାଷଣରେ ଆତ୍ମ ସୁରକ୍ଷା କ୍ଷେତ୍ରରେ କରାଟେ ଭଳି ମାର୍ଶାଲ ଆର୍ଟର ବିଶେଷ ଭୂମିକା ରହିଛି ବୋଲି କହିଥିଲେ। ଛାତ୍ରଛାତ୍ରୀ ମାନେ କୌଶଳ ଓ ଦକ୍ଷତା ବଳରେ ଏହି ଖେଳକୁ ଆୟତ୍ତ କରି ନିଜକୁ ସୁରକ୍ଷା ଦେବା ସହ ନିଜ ଜିଲ୍ଲାର ସୁନାମ ବଢାନ୍ତୁ ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇ ବିନା ଅସ୍ତ୍ରଶସ୍ତ୍ରରେ ନିଜକୁ ସୁରକ୍ଷିତ ରଖିବା ପାଇଁ ସାମରିକ କଳାର ଯଥେଷ୍ଟ ଗୁରୁତ୍ବ ରହିଛି ବୋଲି ପ୍ରକାଶ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାମନ୍ଦିର ପରିଚାଳନା କମିଟିର ସମ୍ପାଦକ ଅଶୋକ କୁମାର ମୋଦି,ଜିନ୍ଦଲ କମ୍ପାନୀର କ୍ରୀଡା ଅଧିକାରୀ ତାପସ କୁମାର ମହାନ୍ତି, ସ୍ବେଛାସେବୀ ଚନ୍ଦ୍ରକାନ୍ତ ଧଳ ଏବଂ କରାଟେ ବିଚାରକ ମିହିର ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ସଂଗଠନର କୋଚ ତଥା ବୈଷୟିକ ନିର୍ଦ୍ଦେଶକ ବାସୁଦେବ ସାହୁ ସଂଗଠନର କାର୍ଯ୍ୟାବଳୀ ସମ୍ପର୍କରେ ଉଲ୍ଲେଖ କରିଥିଲେ।ସଂଗଠନର ସଭାପତି ସୁରଞ୍ଜନ ରାଜକୁମାର ଓ ସମ୍ପାଦକ ବବିନ୍ ଚନ୍ଦ୍ର ଗଡ଼ନାୟକ ସମାରୋହ ପରିଚାଳନା କରିଥିବା ବେଳେ ଇପ୍ସିତା ସାହୁ ସଂଯୋଜନା କରିଥିଲେ।
ସଂଗଠନର ମହିଳା ସଦସ୍ୟ ମାନେ ଆବାହନି ସଙ୍ଗୀତ ପରିବେଷଣ କରିଥିଲେ।ଏହାପରେ ବିଭିନ୍ନ ବର୍ଗର କରାଟେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଶତାଧିକ କରାଟେକା ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଛନ୍ତି।