ମୁଖ୍ୟ ଖବର

ସାଉଦି ଆରବରେ ଉତ୍କଳିକାର ବାର୍ଷିକ ଉତ୍ସବ, ପ୍ରବାସରେ ଝଲସିଲା ଓଡ଼ିଆ ସଂସ୍କୃତି

By Angul TV Bureau

November 28, 2026

ଅନୁଗୋଳ: ପ୍ରବାସ ମାଟିରେ ଓଡ଼ିଆ କଳା, ସଂସ୍କୃତି ଓ ପରମ୍ପରାର ଅପୂର୍ବ ଝଲକ। ସାଉଦି ଆରବର ଓଡ଼ିଆ ସଂଗଠନ ‘ଉତ୍କଳିକା’ର ବାର୍ଷିକ ଉତ୍ସବ ନଭେମ୍ବର ୨୭ ତାରିଖରେ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଏକତା, ଭାଇଚାରା ଓ ମାତୃଭାଷା ପ୍ରତି ଭଲପାଇବାର ଏହି ଉତ୍ସବ ଏକ ସୁନ୍ଦର ମିଳନ ମଞ୍ଚ ପାଲଟିଥିଲା।

କାର୍ଯ୍ୟକ୍ରମରେ ଗିରିଜା ନନ୍ଦନ ପଣ୍ଡା ମୁଖ୍ୟ ଅତିଥି ଏବଂ ଫିରୋଜ ଖାନ୍ ଓ ଅନିଲ ମାଲପାଣି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ରିୟାଦର ROSA ଓ ଜୁବେଲର Kalingan ସଂଗଠନର ପ୍ରତିନିଧିମାନେ ମଧ୍ୟ ଉତ୍ସବରେ ସାମିଲ ହୋଇଥିଲେ। ପ୍ୟାରୀମୋହନଙ୍କ ଦ୍ୱାରା ସଭା ଆରମ୍ଭ ପରେ ଦୀପ ପ୍ରଜ୍ୱଳନ ଓ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରାଯାଇଥିଲା।

ସାଂସ୍କୃତିକ ପର୍ବରେ ଓଡ଼ିଶୀ, ସମ୍ବଲପୁରୀ, ଶିଶୁ ଓ ଦମ୍ପତି ନୃତ୍ୟ ଦର୍ଶକଙ୍କ ମନ ମୋହିଥିବାବେଳେ ଗ୍ଲୋବାଲ୍ ଫ୍ୟାଶନ୍ ଶୋ’, ଲାଇଭ୍ ବ୍ୟାଣ୍ଡ ସଙ୍ଗୀତ ଓ ରାଫେଲ୍ ଡ୍ର ଉତ୍ସବର ଆକର୍ଷଣ ବଢ଼ାଇଥିଲା। ଏହି ଅବସରରେ ଚିନ୍ମୟ ଲେଙ୍କାଙ୍କ ନେତୃତ୍ୱରେ ପ୍ରସ୍ତୁତ ଉତ୍କଳିକାର ବାର୍ଷିକ ପତ୍ରିକା ଉନ୍ମୋଚିତ ହୋଇଥିଲା।

ଉତ୍ସବର ସଫଳ ଆୟୋଜନରେ ମୁଖ୍ୟ ସଂଯୋଜକ ବନ ବିହାରୀ ମହାନ୍ତିଙ୍କ ସହ ମୁସ୍ତାଫା ବେଗ୍, ସଂଯୁକ୍ତା ପାଢ଼ୀ, ବିଭୁ ଦାସ, ସୁବାଶିଷ ସୁନ୍ଦରାୟ, ଦେବବ୍ରତ ମିଶ୍ର, ଶଙ୍କର ପଣ୍ଡା, ସୁଧୀର ସେନାପତି, ପ୍ରତାପ ଗାର୍ଡିଆ, ସସ୍ମିତା ଦାସ ଓ ପ୍ରଦୀପ ବାରୁଙ୍କ ସମେତ ବିଭିନ୍ନ ଟିମ୍‌ର ସଦସ୍ୟମାନେ ନିଜ ଦାୟିତ୍ୱ ତୁଲାଇଥିଲେ। ଉମାକାନ୍ତ ପାଢ଼ୀ, ସଂଯୁକ୍ତା ପାଢ଼ୀ, ଶବାନା ଅଞ୍ଜୁମ ଓ ରଶ୍ମିତା ସେନାପତି ମଞ୍ଚ ସଂଚାଳନ କରିଥିଲେ। ଜୟନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସାଉଦି ଆରବର ବିଭିନ୍ନ ସ୍ଥାନରୁ ଯୋଗଦେଇଥିବା ଓଡ଼ିଆ ପରିବାରଙ୍କ ଉପସ୍ଥିତି ଉତ୍ସବକୁ ଏକ ବୃହତ୍ ପାରିବାରିକ ମିଳନରେ ପରିଣତ କରିଥିଲା। ପ୍ରବାସରେ ମଧ୍ୟ ଓଡ଼ିଆ ଅସ୍ମିତା ଓ ସଂସ୍କୃତିକୁ ପରବର୍ତ୍ତୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାର ସୁନ୍ଦର ବାର୍ତ୍ତା ଦେଇ ‘ଯେଉଁଠି ଓଡ଼ିଆ, ସେଇଠି ଓଡ଼ିଶା’ ଭାବନା ସହ ଉତ୍ସବର ପରିସମାପ୍ତି ଘଟିଥିଲା।