ଅନୁଗୁଳ: କିଶୋରନଗର ବ୍ଲକ୍ରେ ସୋମବାର ଟିକାକରଣରେ ବ୍ୟାପକ ଅବ୍ୟବସ୍ଥା ପଦାକୁ ଆସିଛି । କିଶୋରନଗର, ହଣ୍ଡପା, ଅଙ୍ଗପଡ଼ା ଠାରେ ଆଜି ଟିକା ଦିଆଯାଇଥିଲେ ହେଁ ସକାଳ ୫ଟାରୁ ଧାଡ଼ିରେ ଥିବା ଶତାଧିକ ବରିଷ୍ଠ ନାଗରିକ ଶେଷରେ ନିରାଶ ହୋଇ ଫେରିଛନ୍ତି। ଟିକାଦାନ ନେଇ ପ୍ରଶାସନ ତରଫରୁ ଆଗୁଆ ସୂଚନା ଦିଆଯାଉନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । କିଶୋରନଗର ଅଞ୍ଚଳ ପାଇଁ ୧୨୦ ଡୋଜ୍, ଅଙ୍ଗପଡ଼ା ପାଇଁ ୧୦୦ ଓ ହଣ୍ଡପା ପାଇଁ ୧୦୦ ଡୋଜ୍ ଟିକା ଆସିଥିଲା। ହେଲେ ପ୍ରତ୍ୟେକ କେନ୍ଦ୍ରରେ ଏଥି ଲାଗି ୫ଶହରୁ ଅଧିକ ଲେଖାଏଁ ବରିଷ୍ଠ ନାଗରିକ ଭିଡ଼ ଜମାଇଥିଲେ । ଏଥି ଲାଗି ଆଗୁଆ ପଂଜୀକରଣ କି ଟୋକନ ବ୍ୟବସ୍ଥା ହୋଇନଥିବାରୁ ଟିକାଦାନ ବେଳେ ଅସମ୍ଭାଳ ଭିଡ଼ ସାଙ୍ଗକୁ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା । ୩ଟି ଯାକ ଟିକାଦାନ କେନ୍ଦ୍ରରେ ଶହ ଶହ ଲୋକ ସାମାଜିକ ଦୂରତ୍ବ ଭୁଲି ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ ।