ଘଟଣା ଓ ଦୁର୍ଘଟଣା

ମାଗଣାରେ ମଦ ନ ଦେବାରୁ ସେଲ୍‌ସମ୍ୟାନ୍‌ଙ୍କୁ ହାଣିଲେ ଯୁବକ, ଦୋକାନରେ କଲେ ବ୍ୟାପକ ଭଙ୍ଗାରୁଜା

By Angul TV Bureau

August 08, 2023

ଅନୁଗୁଳ: ମାଗଣାରେ ମଦ ଦେବାକୁ ମନା କରିବାରୁ ଦୋକାନୀଙ୍କୁ ଖଣ୍ଡାରେ ହାଣିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି କିଛି ଯୁବକ। ଏମିତି ଅଭିଯୋଗ ଆସିଛି ଅନୁଗୁଳ ସହରସ୍ଥିତ ପ୍ରଗତି ନଗରରୁ।

ଦୋକାନୀଙ୍କ ଅଭିଯୋଗ ଅନୁସାରେ, ପ୍ରଗତି ନଗରରେ ଥିବା ସରକାରୀ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନକୁ କୁମଣ୍ଡର କିଛି ଯୁବକ ଯାଇ ମାଗଣା ମଦ ଦେବାକୁ କହିଥିଲେ। କିନ୍ତୁ ସେଲ୍‌ସମ୍ୟାନ୍‌ ମନା କରିବାରୁ ସେମାନେ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ଏଥିସହ ବିଭିନ୍ନ ଧମକଚମକ ବି ଦେଇଥିଲେ। ଏହାର କିଛି ସମୟ ପରେ ଦୋକାନର ସେଲ୍‌ସମ୍ୟାନ୍‌ମାନେ ଘରକୁ ଖାଇବାକୁ ଯିବା ପାଇଁ ବାହାରିବା ବେଳେ ଯୁବକମାନେ ତାଙ୍କୁ ଗାଳିଗୁଲଜ କରିବା ସହ ଖଣ୍ଡା ଓ ଛୁରି ଧରି ଆକ୍ରମଣ କରିଥିଲେ। ଏହି ଧସ୍ତାଧସ୍ତି ବେଳେ ଜଣଙ୍କ ଗୋଡ଼ରେ ଖଣ୍ଡା ଚୋଟ ବାଜିଛି। ପରେ ସେଲ୍‌ସମ୍ୟାନମାନେ ଭୟରେ ଦୋକାନ ଭିତରେ ପଶି ଜୀବନ ବଞ୍ଚାଇଥିଲେ।

କିନ୍ତୁ ଯୁବକଙ୍କ ଦାଦାଗିରି ଏତିକିରେ ଥମି ନ ଥିଲା। ସେମାନେ ଦୋକାନ ଭିତରକୁ ଖଣ୍ଡା, ଭୁଜାଲି ଓ ବିଅର ବୋତଲ ଫିଙ୍ଗିଥିଲେ। ଫଳରେ ଦୋକାନର ଅନେକ ସାମଗ୍ରୀ ନଷ୍ଟ ହୋଇଛି। ଯିବା ବେଳକୁ ଯୁବକମାନେ ମାସକୁ ମାସ ଦାଦାବଟି ଦେବାକୁ ଧମକ ଦେଇଥିବା ଦୋକାନୀ ମ୍ୟାନେଜର ଚନ୍ଦନ କୁମାର ଅନୁଗୁଳ ସଦର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ୪୫୦/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଗଣ୍ଡଗୋଳର ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହୋଇଛି।