ମୁଖ୍ୟ ଖବର

ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଚିତ୍ତରଞ୍ଜନ ପ୍ରଧାନଙ୍କ ପରଲୋକ; ପାଳଲହଡ଼ା ଅଞ୍ଚଳରେ ଶୋକର ଛାୟା

By Angul TV Bureau

April 21, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଶିଷ୍ଟ କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ପ୍ରଧାନଙ୍କର ମଙ୍ଗଳବାର ଅପରାହ୍ନରେ ହୃଦଘାତ ଯୋଗୁ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ପାଳଲହଡ଼ା ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

୧୯୮୨ରୁ କଂଗ୍ରେସରେ ଯୋଗ ଦେଇଥିବା ଶ୍ରୀ ପ୍ରଧାନ ଜଣେ ଦକ୍ଷ ସଂଗଠକ ଭାବେ ବ୍ଲକ ସଭାପତି ଓ ପିସିସି ସଭ୍ୟ ଭାବେ କାର୍ଯ୍ୟ କରିଥିଲେ। ସେ ପବିତ୍ରପୁର ପଞ୍ଚାୟତର ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇ ଜନସେବା କରିବା ସହ ୧୯୯୫ରୁ ୨୦୦୧ ପର୍ଯ୍ୟନ୍ତ ସରକାରୀ ଓକିଲ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।

ତାଙ୍କ ବିୟୋଗ ଖବର ପାଇ ବିଧାୟକ ଅଶୋକ ମହାନ୍ତି, ପୂର୍ବତନ ବିଧାୟକ ମୁକେଶ ପାଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ଶେଷ ଦର୍ଶନ କରିଥିଲେ। ସହର ପରିକ୍ରମା ପରେ ତାଙ୍କ ମରଶରୀରକୁ ଶେଷ କୃତ୍ୟ ପାଇଁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇଛି। ଜଣେ ସ୍ନେହୀ ଓ ପରୋପକାରୀ ନେତାଙ୍କୁ ହରାଇ ସମଗ୍ର ଅଞ୍ଚଳରେ ଏବେ ଗଭୀର ଶୋକର ଛାୟା ଖେଳିଯାଇଛି।