ମୁଖ୍ୟ ଖବର

ଲାଞ୍ଚ ନେଉଥିବା ବେଳେ ପୋଲିସ ମ୍ୟାଡମ କାବୁ: ଜରପଡ଼ା ଥାନା ଏଏସଆଇଙ୍କୁ ଧରିଲା ଭିଜିଲାନ୍ସ

By Angul TV Bureau

June 13, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ଥାନାର ଏଏସଆଇ ସୀତା ନାଏକଙ୍କୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଧରିଛି। ସୂଚନା ଅନୁଯାୟୀ, ଏକ ମାମଲାର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ସେ ଜଣେ ଅଭିଯୋଗକାରୀଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।

ଅଭିଯୋଗକାରୀ ଏନେଇ ଭିଜିଲାନ୍ସ ବିଭାଗକୁ ଜଣାଇବା ପରେ, ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ଟଙ୍କା ନେବା ସମୟରେ ଏଏସଆଇ ଶ୍ରୀମତୀ ନାଏକଙ୍କୁ ଭିଜିଲାନ୍ସ ଅଧିକାରୀମାନେ କାବୁ କରିବା ସହ ଉକ୍ତ ଟଙ୍କା ଜବତ କରିଛନ୍ତି। ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ହୋଇଥିବାବେଳେ, ଅଭିଯୁକ୍ତଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଖୋଳତାଡ଼ ଆରମ୍ଭ ହୋଇଛି। ପୋଲିସ ବିଭାଗର ଜଣେ ଅଧିକାରୀ ଲାଞ୍ଚ ନେଇ ଗିରଫ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।