ମୁଖ୍ୟ ଖବର

ବିଲ ପାସ୍ କରିବାକୁ ନେଉଥିଲେ ୫୦ ହଜାର ଲାଞ୍ଚ, ଆରଡବ୍ଲ୍ୟୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

By Angul TV Bureau

March 29, 2022

ଅନୁଗୁଳ: ଲାଞ୍ଚ ନେଇ ବନ୍ଧା ହେଲେ ତାଳଚେର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଉପଖଣ୍ଡ (ଆରଡବ୍ଲ୍ୟୁଏସଏସ) ର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାହୁ। ବାକି ବିଲ୍ ପାସ୍ କରିବାକୁ ୫୦ ହଜାର ଲାଞ୍ଚ ନେବା ବେଳେ ଆଜି ତାଙ୍କୁ ଭିଜିଲାନ୍ସ ଧରିଛି। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ଶ୍ରୀ ସାହୁଙ୍କ ତାଳଚେର ସ୍ଥିତ ଆରଡବ୍ଲ୍ୟୁଏସଏସ କାର୍ଯ୍ୟାଳୟ ଓ ଅନୁଗୁଳ ସ୍ଥିତ ସରକାରୀ ବାସଭବନରେ ଚଢ଼ଉ ଜାରି ରହିଛି। ସନ୍ଧ୍ୟା ସୁଦ୍ଧା ତାଙ୍କର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ, ଠିକାଦାର ପ୍ରତାପ କୁମାର ପଟ୍ଟନାୟକ ଆରଡବ୍ଲ୍ୟୁଏସଏସ ଅଧୀନରେ ଏକ ପ୍ରକଳ୍ପ କରିଥିଲେ। ପ୍ରକଳ୍ପ ସରିବା ପରେ ପ୍ରତାପ ବିଲ ଦାଖଲ କରି ବାକି ଅର୍ଥ ପାଇଁ ଅଭିଯୁକ୍ତ ଅଧିକାରୀଙ୍କୁ କହିଥିଲେ। ହେଲେ ଶ୍ରୀ ସାହୁ ଏଥିପାଇଁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଣୁ ଠିକାଦାର ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ, ଆଜି ଲାଞ୍ଚ କାରବାର ହେଉଥିବା ବେଳେ ଭିଜିଲାନ୍ସର ପାଞ୍ଚ ଜଣିଆ ଟିମ୍ ଅଭିଯୁକ୍ତ ଯନ୍ତ୍ରୀଙ୍କୁ ଗିରଫ କରିଛନ୍ତିl