ମୁଖ୍ୟ ଖବର

ରୁଙ୍ଗଟା କମ୍ପାନୀ ଓ ଏମସିଏଲକୁ କଙ୍କିଳି ଗ୍ରାମବାସୀଙ୍କ ତୀବ୍ର ବିରୋଧ: ଇଞ୍ଚେ ହେଲେ ଜମି ଦେବେନି ବୋଲି ନିଷ୍ପତ୍ତି

By Angul TV Bureau

March 03, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ କଙ୍କିଳି ପଞ୍ଚାୟତର ୧୧ ଟି ଗାଁ ଲୋକ ରୁଙ୍ଗଟା ଓ ଏମସିଏଲକୁ ତୀବ୍ର ବିରୋଧ କରିଛନ୍ତି। ଏହି ଦୁଇ କମ୍ପାନୀକୁ କୋଇଲା ଖନନ ପାଇଁ ଇଞ୍ଚେ ଜାଗା ନ ଛାଡ଼ିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଆଜି ଗାଁ ପଡ଼ିଆ ଠାରେ ଏ ନେଇ ଏକ ବୈଠକ ବସି ଗ୍ରାମବାସୀ ଏହି ନିଷ୍ପତ୍ତି ନେଇଛନ୍ତି।

ସୂଚନା ମୁତାବକ, ଗାଁର ଜଣେ ବ୍ୟକ୍ତି ଝିଅ ବାହାଘର ପାଇଁ ଜମି ବିକ୍ରି କରିବାକୁ ତାଳଚେର ଜମି ପଞ୍ଜିକରଣ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ଯାଇ ଇସି ବାହାର କରିଥିଲେ। ସେଥିରୁ ଜାଣିବାକୁ ପାଇଥିଲେ ଯେ, ସବୁ ଜମିକୁ କୋଇଲା ଉତ୍ତୋଳନ ପାଇଁ ରୁଙ୍ଗଟା ସନସ୍ ଆଣ୍ଡ ପ୍ରାଇଭେଟ ଲିମିଟେଡ଼ ଠିକାସଂସ୍ଥାକୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି। ଏଣୁ ସେ ଏବେ ଜମି ନ ବିକି ଝିଅ ବାହାଘର କେମିତି କରିବେ ସେ ନେଇ ଚିନ୍ତାରେ ଅଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଭାରତ ସରକାରଙ୍କ କୋଇଲା ଖଣି ବିଭାଗ ସିଧାସଳଖ ଜମି ଅଧିଗ୍ରହଣ ନକରି ରାଜ୍ୟ ସରକାରଙ୍କ ଜରିଆରେ ଅଧିଗ୍ରହଣ କରୁଥିବା ନିୟମକୁ କିଏ ଓ କିପରି ଉଲ୍ଲଂଘନ କରିଛି, ତାହା ଏବେ ଚିନ୍ତାର ବିଷୟ ହୋଇଛି। ଏହାକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି।

ବୈଠକରେ କଙ୍କିଳି ପଞ୍ଚାୟତର ପ୍ୟାରିମୋହନ ସାମଲ, ଛବିଳ ସାମଲ, ଟିକ ମହାନ୍ତି, କାଳନ୍ଦୀ ଚରଣ ତୁଙ୍ଗ, ପାଣ୍ଡବ ମହାନ୍ତି, ଅମୀୟ ମହାନ୍ତି, ସୁଧାକର ସାମଲ, ବସନ୍ତ ରାଏ, ପ୍ରମୋଦ ରାଏ ପ୍ରମୁଖ ଯୋଗ ଦେଇ କୌଣସି କମ୍ପାନୀ ଇଞ୍ଚେ ହେଲେ ଜମି ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।