ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ମରାତିରା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିକରି ବିଦ୍ୟାଳୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କଲେ ଗ୍ରାମବାସୀ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଥିବା ଏହି ବିଦ୍ୟାଳୟରେ ୨୧୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ମାତ୍ର ଏଠାରେ ପାଠ ପଢ଼ାଇବା ପାଇଁ ୬ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଛନ୍ତି। ଜଣେ ଶିକ୍ଷୟତ୍ରୀ ଗତ ନଭେମ୍ବର ୧ ତାରିଖରୁ ୬ ମାସ ପର୍ଯ୍ୟନ୍ତ ଛୁଟିରେ ଅଛନ୍ତି। ପୁଣି ବର୍ତ୍ତମାନ ଆଉ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଜାଣିବାପରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟ ଫାଟକକୁ ସୋମବାର ସକାଳେ ତାଲା ପକାଇ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବିକ୍ଷୋଭ କରିଥିଲେ।