କଣିହାଁ: ଅନୁଗୁଳ ଜିଲ୍ଲା ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣିହାଁ ବ୍ଲକର ୯ ନମ୍ବର ଜିଲ୍ଲା ପରିଷଦ ଜୋନ ଜରଡ଼ା ଗ୍ରାମବାସୀ ଶନିବାର ଭୋଟ ବର୍ଜନ କରିଛନ୍ତି। କୋଇଲା ଖଣି ବିସ୍ଥାପନ ଥଇଥାନ ପୁନଃବସତି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀଙ୍କ ଦାବିକୁ ପ୍ରଶାସନ ଓ ଖଣି କର୍ତ୍ତୃପକ୍ଷ ନ ଶୁଣିବା ଯୋଗୁ ଅଞ୍ଚଳବାସୀ ଭୋଟ ବର୍ଜନ କରିଛନ୍ତି।
ସୂଚନା ମୁତାବକ, ଜରଡ଼ା ପଞ୍ଚାୟତରେ ୪ ଟି ମତଦାନ କେନ୍ଦ୍ର ରହିଥିବା ବେଳେ ଜରଡ଼ା ଗ୍ରାମରେ ଥିବା ଦୁଇଟି ମତଦାନ କେନ୍ଦ୍ର ୩୩,୩୪ ବୁଥକୁ ଶୁକ୍ରବାର ଠାରୁ ପୋଲିଂ ପାର୍ଟି ପହଞ୍ଚି ଥିଲେ। ଶନିବାର ସକାଳ ୭ଟାରୁ ମତଦାନ ଗ୍ରହଣ ପାଇଁ ସମସ୍ତ ବ୍ୟବସ୍ଥା ସତ୍ତ୍ୱେ ଗ୍ରାମର କୌଣସି ଭୋଟର ମତଦାନ ଶେଷ ସମୟ ପର୍ଯ୍ୟନ୍ତ ଆସିନଥିଲେ।
ଗ୍ରାମର ଦୁଇଟି ବୁଥରେ ବାହ୍ୟ ଅଞ୍ଚଳର ଭୋଟର ତାଲିକାରେ ନାମ ଥିବା ବୁଥ ୩୩ ରେ ଜଣେ ଓ ୩୪ ନମ୍ବର ବୁଥରେ ମାତ୍ର ୬ ଜଣ ଭୋଟ ଦେଇଥିଲେ।
ସୂଚନାଯୋଗ୍ୟ ଯେ କଣିହାଁ ବ୍ଲକର ତାଳଚେର ଓ ପାଳଲହଡ଼ା ନିର୍ବାଚନ ମଣ୍ଡଳୀର ଏନେକ ବୁଥରେ ବହୁ ନୂତନ ଓ ପୁରାତନ ଭୋଟରଙ୍କ ପରିଚୟ ପତ୍ର ଥିବା ସତ୍ତ୍ଵେ ନୂତନ ଭୋଟର ଲିଷ୍ଟରେ ନାମ ନଥିବାରୁ ଭୋଟ କେନ୍ଦ୍ରରୁ ନିରାଶରେ ଫେରିଥିବା ଦେଖିବାକୁ ମିଳିଥିଲା।