ମୁଖ୍ୟ ଖବର

ମଦ ଦୋକାନ ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ: ସାମ୍ବାଦିକଙ୍କ ସହ ମୁହାଁମୁହିଁ

By Angul TV Bureau

July 16, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତର କଦଳିମୁଣ୍ଡା ଗ୍ରାମରେ ନିର୍ମିତ ମଦ ଦୋକାନକୁ ବିରୋଧ କରି ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ଗ୍ରାମର ମଧ୍ୟଭାଗରେ ସ୍ଥାନୀୟ ଲୋକଙ୍କ ଅଜାଣତରେ ଏହି ଦୋକାନ ଖୋଲିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନିକଟରେ ଗ୍ରାମର ମା’ ଦୁର୍ଗା ମନ୍ଦିରରୁ ଚୋରି ହେବା ପରେ ମଦ ଦୋକାନକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି।

ଏହି ଦୋକାନ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ମହିଳାଙ୍କ ସୁରକ୍ଷା ବାଧାପ୍ରାପ୍ତ ହେବାର ଆଶଙ୍କା କରି ଶତାଧିକ ମହିଳା ଓ ପୁରୁଷ ଆନ୍ଦୋଳନକୁ ଓହ୍ଲାଇଥିଲେ। ତେବେ ଏହି ସମୟରେ ସ୍ଥାନୀୟ ଜଣେ ଯୁବ ସାମ୍ବାଦିକ ସୁବ୍ରତ କୁମାର ବେହେରା ଆନ୍ଦୋଳନ ବନ୍ଦ କରିବାକୁ କହି ମଦ ଦୋକାନ ସପକ୍ଷରେ ମତ ଦେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ଓ ସାମ୍ବାଦିକଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହେବା ସହ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଉଭୟ ପକ୍ଷରୁ ସ୍ଥାନୀୟ ଫାଣ୍ଡିରେ ପୃଥକ ପୃଥକ ଅଭିଯୋଗ ଦାୟର କରାଯାଇଛି। ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।