ମୁଖ୍ୟ ଖବର

ନାଲକୋ ସର୍ଭେ ପାଇଁ ଯାଇଥିବା ଟିମକୁ ଗାଁରେ ପୂରେଇ ଦେଲେନି ଗ୍ରାମବାସୀ, ମନ୍ଦିରରେ ବସି ବସି ଫେରିଲେ ଆରଆଇ ଓ ସମସ୍ତ ଅଧିକାରୀ

By Biswaranjan Pattnaik

October 15, 2024

ଅନୁଗୁଳ: ନାଲକୋ ବ୍ରାଉନ ଫିଲଡ଼ ସର୍ଭେ ନେଇ ପ୍ରଶାସନକୁ ପୁଣି ଥରେ ବିଫଳତାର ସାମ୍ନା କରିବାକୁ ପଡ଼ିଛି। ମଙ୍ଗଳବାର ଅନୁଗୁଳ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ନାଲକୋ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିକାରୀଙ୍କ ସମେତ କାଙ୍ଗୁଲା ବେନ୍ତପୁର, ସଦର ଆର.ଆଇ ଓ ବଅଁରପାଳ ତହସିଲର ରେଭେନ୍ୟୁ ସୁପରଭାଇଜର ସର୍ଭେ ନେଇ ଗୋପୀନାଥପୁର ଗାଁକୁ ଆସିଥିଲେ। କିନ୍ତୁ ଗାଁ ଲୋକେ ସର୍ଭେକୁ ବିରୋଧ କରି ଆସିଥିବା କର୍ମଚାରୀଙ୍କୁ ଗାଁ ମୁଣ୍ଡରୁ ହିଁ ଫେରାଇ ଦେଇଥିବା ଜଣାପଡ଼ିଛି।

ସୂଚନା ମୁତାବକ ନାଲକୋ କମ୍ପାନୀ ତାର ସ୍ମେଲଟର କାରଖାନାକୁ ବୃଦ୍ଧି କରିବା ନିମନ୍ତେ କୁଲାଡ଼, କାଙ୍ଗୁଲା ବେନ୍ତପୁର ଓ ଗୋପୀନାଥପୁର ମୌଜାର ଜମି ଅଧିଗ୍ରହଣ କରିବା ନେଇ ପ୍ରସ୍ତାବ ରହିଛି। କିନ୍ତୁ ଏହି ପ୍ରକଳ୍ପକୁ ଲୋକେ ବିରୋଧ କରୁଥିବା ଦେଖାଯାଇଛି।

ଆଜି ପୂର୍ବାହ୍ନରେ ନାଲକୋ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟର ଆର.ଆର ତପସ୍ୱିନୀ ସାହୁ, ବଅଁରପାଳ ତହସିଲର ରେଭେନ୍ୟୁ ସୁପରଭାଇଜର ବ୍ରଜବନ୍ଧୁ ସାହୁ, ଅନୁଗୁଳ ସଦର ଆର ଆଇ ମଛିନ୍ଦ୍ର ମୈତ୍ରୀ ସାହୁ, ବେନ୍ତପୁର ଆରଆଇ ମହେନ୍ଦ୍ର ବେହେରା, ପ୍ରୋସେସ ସର୍ଭେର ଭରତ ପୃଷ୍ଟିଙ୍କ ସମେତ ନାଲକୋ ଠିକାଦାର ବିଭୀଷଣ ଚୌଧୁରୀ ପ୍ରମୁଖ ଗାଁରେ ପହଞ୍ଚିଥିଲେ। କିନ୍ତୁ ପୂର୍ବ ପ୍ରସ୍ତୁତି ପୂର୍ବକ ତିନି ଗାଁର ଶତାଧିକ ପୁରୁଷ ମହିଳା ତାଙ୍କୁ ଗାଁମୁଣ୍ଡରେ ଅଟକାଇ ଥିଲେ ଓ ଭିତରକୁ ଯିବାକୁ ବାରଣ କରିଥିଲେ। ଏଣୁ ଅଧିକାରୀମାନେ ସ୍ଥାନୀୟ ଶିବ ମନ୍ଦିରରେ ବସି ଆଲୋଚନା କରିଥିଲେ।

ତେବେ ଜିଲ୍ଲା ପ୍ରଶାସନର ଆଦେଶ କ୍ରମେ ସର୍ଭେ କରିବା ପାଇଁ ଗାଁକୁ ଆସିଥିବା କର୍ମଚାରୀମାନେ କହିଥିବା ବେଳେ ସର୍ଭେ ନକରିବା ପାଇଁ ଗ୍ରାମବାସୀ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ କାହିଁକି ଆପଣ ମାନେ ଆସିଛନ୍ତି ବୋଲି ଲୋକେ ପ୍ରଶ୍ନ କରିଥିଲେ। ଏଣୁ ଦୀର୍ଘ ସମୟ ଧରି ସର୍ଭେ ପାଇଁ ଆସିଥିବା ଦଳ ଓ ଗ୍ରାମବାସୀଙ୍କ ମଧ୍ୟରେ ପ୍ରଶ୍ନ ଉତ୍ତର ଚାଲିଥିବା ଦେଖା ଯାଇଥିଲା।

ଶେଷରେ ଏକ ଲିଖିତ ଅଭିଯୋଗ ଦେବା ପାଇଁ ସର୍ଭେ ଦଳ କହିଥିବା ବେଳେ ଲୋକେ ରାଜି ହୋଇନଥିଲେ। ବରଂ ପୂର୍ବରୁ ବୈଠକରେ ଉପସ୍ଥିତ ଥିବା ଦସ୍ତଖତକୁ ବ୍ୟବହାର କରି ବିଗତ ଦିନରେ ଲୋକେ ଜମି ଅଧିଗ୍ରହଣ ନେଇ ରାଜି ଥିବା ପ୍ରଶାସନ ଚଞ୍ଚକତା କରିଥିବା ଲୋକେ ଅଭିଯୋଗ ଆଣିଥିଲେ। ଯେ ପର୍ଯ୍ୟନ୍ତ ନାଲକୋ ଜମି ହରାଇବାକୁ ଥିବା ଲୋକଙ୍କ ପାଇଁ ସ୍ଥାୟୀ ନିଯୁକ୍ତି ନେଇ କୌଣସି ମତ ରଖିନାହିଁ ସେ ପର୍ଯ୍ୟନ୍ତ ତିନି ମୌଜାର ଗ୍ରାମବାସୀ ସମ୍ପୂର୍ଣ୍ଣ ଅସହଯୋଗ କରିବେ ବୋଲି ପ୍ରକାଶ କରିଥିଲେ।