ଅନୁଗୁଳ: ଅନୁଗୁଳ ଜିଲ୍ଲାର ନୂତନ ଭାବେ ମାନ୍ୟତା ପାଇଥିବା ପାଳଲହଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ପାଇଁ ପ୍ରାଶାସନିକ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଓଡ଼ିଶା ସରକାରଙ୍କ ସଦ୍ୟତମ ନିର୍ଦ୍ଦେଶକ୍ରମେ ଗୁରୁବାର ଅନୁଗୁଳ ଜିଲ୍ଲାପାଳ ଏହି ନୂତନ ଏନଏସି ପାଇଁ ୱାର୍ଡ ବିଭାଜନ ଓ ଆସନ ସଂରକ୍ଷଣ ସମ୍ବନ୍ଧୀୟ ଚିଠା ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ପ୍ରସ୍ତାବିତ ତାଲିକା ଉପରେ କୌଣସି ଆପତ୍ତି କିମ୍ବା ଅଭିଯୋଗ ଥିଲେ, ବିଜ୍ଞପ୍ତି ପ୍ରକାଶନର ୧୦ ଦିନ ମଧ୍ୟରେ ତାହା ଦାଖଲ କରିବାକୁ ସମୟ ପ୍ରଦାନ କରାଯାଇଛି।
ୱାର୍ଡ ସୀମା ଓ ସଂରକ୍ଷଣର ବିବରଣୀ:
ୱାର୍ଡ ନଂ ୧: ବାଲିପଶି ପଞ୍ଚାୟତର ଯୋଗୀମୁଣ୍ଡା, କଣ୍ଡରାପାଲି ଏବଂ ନିଜିଗଡ଼ର କାଇଁଶିରିପାଲିକୁ ନେଇ ଗଠିତ। ଏହି ଆସନଟି ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ।
ୱାର୍ଡ ନଂ ୨: ନିଜିଗଡ଼ ପଞ୍ଚାୟତର ସାମିଆପାଲି ଓ ସୁବର୍ଣ୍ଣପାଲିକୁ ନେଇ ଗଠିତ। ଏହା ସାଧାରଣ ବର୍ଗ ପାଇଁ ଉଦ୍ଦିଷ୍ଟ।
ୱାର୍ଡ ନଂ ୩: ଈଶ୍ୱରନଗର ପଞ୍ଚାୟତର ଇଲିସୂଆଁ, ମୁକ୍ତାପୁର ଏବଂ ନିଜିଗଡ଼ର ଉଦିତନଗରର କିଛି ଅଂଶକୁ ନେଇ ଗଠିତ। ଏହା ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ।
ୱାର୍ଡ ନଂ ୪: ପାଟବେଡା, ବଡ଼ଝାର କଲୋନୀ ଏବଂ କ୍ଷେତ୍ରବାସୀପୁରକୁ ନେଇ ଗଠିତ। ଏହି ଆସନ ଆଦିବାସୀ ବର୍ଗ ପାଇଁ ସଂରକ୍ଷିତ।
ୱାର୍ଡ ନଂ ୫: ବିଜୁ ପଟ୍ଟନାୟକ ପାର୍କ ଠାରୁ ଫରେଷ୍ଟ ଉଦ୍ୟାନ ଏବଂ ଉଦିତ ନଗରର କିଛି ଅଂଶକୁ ନେଇ ଗଠିତ। ଏହା ସାଧାରଣ ବର୍ଗ (ମହିଳା)ଙ୍କ ପାଇଁ ସଂରକ୍ଷିତ।
ୱାର୍ଡ ନଂ ୬: ସାମନ୍ତ ସାହି, ବଜାର ସାହି ଏବଂ ପୁରୁଣା ହାଟପଦା ସାହିକୁ ନେଇ ଗଠିତ। ଏହା ସାଧାରଣ ବର୍ଗ (ମହିଳା)ଙ୍କ ପାଇଁ ସଂରକ୍ଷିତ।
ୱାର୍ଡ ନଂ ୭: ଗୁଡ଼ିଆ ସାହି, ଗୌଡ଼ ସାହି ଏବଂ ରାଜବାଟି ସାହିକୁ ନେଇ ଗଠିତ। ଏହା ସାଧାରଣ ବର୍ଗ ପାଇଁ ଉଦ୍ଦିଷ୍ଟ।
ୱାର୍ଡ ନଂ ୮: ମୁଚୁରିଗାଡ଼ିଆ, ଦରେଇକେଳା ଓ ଶାସନ ସାହିକୁ ନେଇ ଗଠିତ। ଏହା ସାଧାରଣ ବର୍ଗ (ମହିଳା)ଙ୍କ ପାଇଁ ସଂରକ୍ଷିତ।
ୱାର୍ଡ ନଂ ୯: ସ୍କୁଲ ସାହି, ଫାର୍ମ ସାହି, ଗୁଣ୍ଡିଚା ମନ୍ଦିର ପାର୍ଶ୍ଵ ଓ ତଳ ସାହିକୁ ନେଇ ଗଠିତ। ଏହି ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ।
ୱାର୍ଡ ନଂ ୧୦: ଉଦୟପୁର ଓ କବୁଲିକୁ ନେଇ ଗଠିତ। ଏହା ସାଧାରଣ ବର୍ଗ ପାଇଁ ଉଦ୍ଦିଷ୍ଟ।
ୱାର୍ଡ ନଂ ୧୧: ନିଜିଗଡ଼ର ନୂଆଁସିଡିଙ୍ଗ ଓ ଈଶ୍ୱର ନଗରର ବାର୍ହାକୁଦରକୁ ନେଇ ଗଠିତ। ଏହି ଆସନ ଆଦିବାସୀ ବର୍ଗ ପାଇଁ ସଂରକ୍ଷିତ।
ଏହି ଚିଠା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ପୂର୍ବରୁ ନିଜିଗଡ଼ ପଞ୍ଚାୟତ ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା ନେତାମାନଙ୍କ ମଧ୍ୟରେ ଏହାକୁ ନେଇ ନାନା ଆଲୋଚନା ହେଉଛି। ୱାର୍ଡ ବିଭାଜନ ପରେ ରାଜନୈତିକ ଗଣିତ କେଉଁ ମୋଡ଼ ନେଉଛି, ତାହାକୁ ନେଇ ଚା’ ଖଟିରୁ ସରକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ତର୍କବିତର୍କ ଦେଖିବାକୁ ମିଳିଛି। ଚୂଡ଼ାନ୍ତ ରୂପରେଖ ପ୍ରକାଶ ପାଇବା ପରେ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଏବଂ ଉଷ୍ମତା ଆହୁରି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।