ଅନୁଗୋଳ: ଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ ସାତକୋଶିଆ ଗଣ୍ଡ ଦେଇ ବହି ଯାଉଥିବା ମହାନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି। ଫଳରେ ଗଣ୍ଡ ଉପରେ ପାଣି ବହୁଥିବାରୁ ସ୍ଥାନୀୟ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
ବର୍ଷା ପୂର୍ବରୁ ମହାନଦୀର ଜଳସ୍ତର ଅତ୍ୟନ୍ତ ନିମ୍ନ ସ୍ତରରେ ଥିଲା। କିନ୍ତୁ ଗତ କିଛି ଦିନ ଧରି ହୋଇଥିବା ଲଗାଣ ବର୍ଷା ପରେ ଜଳସ୍ତର ବଢ଼ି ଏବେ ରାସ୍ତା ଉପରେ ପ୍ରାୟ ୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି।
ଏହି ପରିସ୍ଥିତି ଯୋଗୁଁ ବେହେରା ସାହି, ଗାଇଁଦି ଓ ମଝିପଡା ଆଦି ଗ୍ରାମର ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗ୍ରାମବାସୀମାନେ କହିଛନ୍ତି ଯେ, ‘ଯଦି ଆହୁରି ଅତ୍ୟଧିକ ବର୍ଷା ହୁଏ ତେବେ ସ୍ଥାନୀୟ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି’। ଏପର୍ଯ୍ୟନ୍ତ ଏହି ଅଞ୍ଚଳରେ କୌଣସି ସରକାରୀ ଅଧିକାରୀ ପହଞ୍ଚି ନଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯାତାୟତ ସ୍ୱାଭାବିକ କରିବା ସହ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।