ଅନୁଗୁଳ: କିଛି ଦିନର ବ୍ୟବଧାନ ପରେ ପୁଣି ମାତିଲେ ସଟର ତଡ଼ା ଚୋର। ବୁଧବାର ବିଳମ୍ବିତ ରାତିରେ ଅନୁଗୁଳ ସଂଜୀବନୀ ମାର୍କେଟ ମଞ୍ଜରୀ ଏଣ୍ଟରପ୍ରାଇଜେସ ଦୋକାନର ସଟର ତାଡ଼ି ଚୋରମାନେ ପ୍ରାୟ ତିନି ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ କମ୍ପାନୀର ପାଣି ପମ୍ପ ଚୋରି କରି ନେଇଛନ୍ତି । ଚୋରିର ପୁରା କାରନାମା ଦୋକାନରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇଚି। ସିସିଟିଭି ଫୁଟେଜ ଅନୁସାରେ ରାତି ପ୍ରାୟ ତିନିଟା ବେଳକୁ ଦୁଇଜଣ ଚୋର ସଟର ତାଡ଼ି ଦୋକାନ ଭିତରେ ପଶୁଛନ୍ତି। ଛ’ ମିନିଟ୍ ପରେ ବସଷ୍ଟାଣ୍ଡ ପଟୁ ଗୋଟିଏ ଧଳା କାରକୁ ଚୋର ଦୁଇଜଣ ଡାକୁଛନ୍ତି। କାରରେ ପମ୍ପ ସବୁକୁ ଲଦି ବଜାର ଆଡ଼କୁ ପଳାଇଛନ୍ତି। ଚୋର ଦୁଇଜଣ ମାସ୍କ୍ ଏବଂ ମଙ୍କି କ୍ୟାପ ପିନ୍ଧି ଥିବା ଜଣା ପଡ଼ୁଛି। ଘନ କୁହୁଡିର ସୁଯୋଗରେ ଚୋରମାନେ ଏଭଳି କାଣ୍ଡ ଘଟାଇଛନ୍ତି। ଚୋରି ସମ୍ପର୍କରେ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଅଛି।