ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଭଗଲାକଟା ଗାଁରେ ଏକ ବିବାହ କାର୍ଯ୍ୟ ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି। ବରଯାତ୍ରୀ ଓ କନ୍ୟାପକ୍ଷଙ୍କ ମଧ୍ୟରେ ହୋଇଥିବା ମାଡ଼ପିଟ୍ ଏବଂ ଭୁଜାଲି ଆକ୍ରମଣରେ ଉଭୟ ପକ୍ଷର ପ୍ରାୟ ୧୧ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ତୁରନ୍ତ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଅନୁଗୁଳ ଖଣ୍ଡହତା ସୁରାବ ଗ୍ରାମର ଜିତେନ୍ଦ୍ର ନାଏକ ବରଯାତ୍ରୀ ଧରି ଭଗଲାକଟା ଗାଁକୁ ବିବାହ ପାଇଁ ଆସିଥିଲେ। ବାହାଘର ପ୍ରୋସେସନ୍ ଚାଲିଥିବା ସମୟରେ କୌଣସି ଏକ ପୁରୁଣା ନିର୍ବାଚନୀ ବିବାଦକୁ ନେଇ କିଛି ବରଯାତ୍ରୀଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ମାରପିଟ୍ ଆରମ୍ଭ ହୋଇଥିଲା। ପରିସ୍ଥିତି ଜଟିଳ ହେଉଥିବା ଦେଖି କନ୍ୟାପକ୍ଷର ଗ୍ରାମବାସୀ ଓ ସମ୍ପର୍କୀୟମାନେ ଏହାକୁ ସମାଧାନ କରିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ବରଯାତ୍ରୀମାନେ ଉତ୍ତ୍ୟକ୍ତ ହୋଇ କନ୍ୟାପକ୍ଷର ଲୋକଙ୍କୁ ଗାଳିଗୁଲଜ କରିବା ସହ ସେମାନଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥିଲେ।
ଏହି ଉତ୍ତେଜନା ସମୟରେ ବରଯାତ୍ରୀ ଦଳରେ ଆସିଥିବା ମାଣପୁର ଗାଁର ସିପୁ ନାଏକ, ବୁଲୁ ବେହେରା, ସିଲୁ ବେହେରା ଓ ସେମାନଙ୍କ ସାଥୀମାନେ ଭୁଜାଲି ଓ କଙ୍କଣରେ ସାଂଘାତିକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଗ୍ରାମବାସୀମାନେ ବରପକ୍ଷର ଲୋକଙ୍କୁ ଗାଁରେ ଅଟକ ରଖିଥିଲେ। ଖବର ପାଇ ଛେଣ୍ଡିପଦା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛି। ବର୍ତ୍ତମାନ ପୁଲିସ ଏହି ଘଟଣାର ଛାନଭିନ ଚଳାଇଥିବା ବେଳେ ଗାଁରେ ଏବେ ମଧ୍ୟ ଚାପା ଉତ୍ତେଜନା ଲାଗିରହିଛି।