ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କୋଶଳା ବିଦ୍ୟୁତ ସେକ୍ସନ ଅଧୀନସ୍ଥ ୧୫ଟି ଗାଁର ଲୋକ ଦୀର୍ଘ ସପ୍ତାହେ କାଳ ଅନ୍ଧାରରେ ରହିବା ପରେ ସୋମବାର ସନ୍ଧ୍ୟାରେ ବିଜୁଳି ଆଲୋକ ଦେଖିଛନ୍ତି।
ସୂଚନା ମୁତାବକ, କୋଶଳା ବିଦ୍ୟୁତ ସେକ୍ସନ ଅଧୀନସ୍ଥ ସନ୍ତରାବନ୍ଧର ମୋହନ ଗଡତିଆ, ଭରତ ଗଡତିଆ ଏବଂ ଫାଲଗୁନୀ ଗଡତିଆଙ୍କ ଘର ଉପର ଦେଇ ଯାଇଥିବା ୧୧କେଭି ବିଦ୍ୟୁତ ତାର ଗତ ୬ ତାରିଖ ଦିନ ଛିଣ୍ଡି ଛାତ ଉପରେ ପଡିଥିଲା। ମୋହନ ଏହି ଘଟଣା ବିଷୟରେ ବିଦ୍ୟୁତ ବିଭାଗକୁ ଜଣାଇବା ପରେ ବିଭାଗ ପକ୍ଷରୁ ତାର ସଜାଡ଼ିବା ପାଇଁ କର୍ମଚାରୀ ମାନେ ଆସିଥିଲେ। କିନ୍ତୁ ୩ ପରିବାର ଲୋକ ତାଙ୍କ ଘର ଉପରୁ ୧୧ କେଭି ତାର ଅନ୍ୟ ରାସ୍ତା ଦେଇ ନେବାକୁ ଅଡି ବସିବାରୁ ସନ୍ତରାବନ୍ଧ୍, ଚଙ୍ଗୁଡ଼ିଆ ଆଦି ୧୫ଟି ଗ୍ରାମ ଅନ୍ଧାରରେ ରହିଥିଲେ।
୧୫ ଗ୍ରାମବାସୀ ୪ ଦିନ ଅନ୍ଧାରରେ ରହିବା ପରେ ବିଦ୍ୟୁତ୍ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ, ଛେଣ୍ଡିପଦା ପୋଲିସ, ଗ୍ରାମବାସୀ ଏବଂ ପୀଡ଼ିତ ପରିବାର ଏକାଠି ବସି ଆଲୋଚନା କରିଥିଲେ ମଧ୍ୟ ଘଟଣାର କୌଣସି ସମାଧାନର ସୂତ୍ର ବାହାରି ନଥିଲା।
ଶେଷରେ ଅତିଷ୍ଠ ହୋଇ ସୋମବାର ପୂର୍ବାହ୍ନରେ ସନ୍ତରାବନ୍ଧ ଗ୍ରାମର ୩୦ରୁ ଊର୍ଦ୍ଧ୍ବ ଲୋକ କୋଶଳାରେ ଥିବା ଟିପିଡିଓସିଏଲ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିଲେ। ଛେଣ୍ଡିପଦା ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଦୁଷ୍ମନ୍ତ ସିଂହ ଧାରଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପୁଣି ଆଲୋଚନା ହୋଇଥିଲା। ଫଳରେ ୭ଦିନ ଧରି ଅନ୍ଧାରରେ ରହିଥିବା ଗ୍ରାମବାସୀ ସୋମବାର ସନ୍ଧ୍ୟା ଠାରୁ ବିଜୁଳି ଆଲୋକ ପାଇଛନ୍ତି।