ମୁଖ୍ୟ ଖବର

ଟାମଡା ଶିରପା କାହା ମୁଣ୍ଡରେ??? ଆଶାୟୀଙ୍କ ଉତ୍କଣ୍ଠା ବଢୁଛି

By Biswaranjan Pattnaik

December 24, 2024

ଅନୁଗୁଳ: ନୂଆ ସରକାର ଗଠିତ ହେବାର ପ୍ରାୟ ସାତମାସ ହେଲାଣି ହେଲେ ବିଭିନ୍ନ ନିଗମ ଲଡ଼ୁ ଏପର୍ଯ୍ୟନ୍ତ ବଣ୍ଟା ହୋଇ ପାରିନାହିଁ। କିଏ ଏହିସବୁ ପଦବୀ ପାଇଁ ଦକ୍ଷ, ଦଳ ପ୍ରତି ଅଧିକ ଅନୁରକ୍ତ, କାହାର ଦଳରେ ଦବଦବା ରହିଛି, କାହାର ସାଙ୍ଗଠନିକ ଶକ୍ତି ଅଧିକ, କିଏ ଗାଦିରେ ବସିଲେ ଅସନ୍ତୁଷ୍ଟଙ୍କୁ ମ୍ୟାନେଜ କରିପାରିବେ ଏହି ସବୁ ଦିଗପ୍ରତି ଧ୍ୟାନ ଦିଆଯାଇ ଗୁପ୍ତ ରିପୋର୍ଟ କାର୍ଡ ତିଆରି ଚାଲିଛି ବୋଲି ଶୁଣିବାକୁ ମିଳୁଛି।

ନୂଆ ବର୍ଷ ପରେ ପରେ ସରକାରୀ ଓକିଲଙ୍କ ସମେତ ନିଗମ ଲଡ଼ୁ ବଣ୍ଟା ଯିବା ବୋଲି ଶୁଣିବାକୁ ମିଳୁଛି। ତେବେ ଅନୁଗୁଳ ଟାମଡାର ଇତିହାସ କଥା ଯଦି ଦେଖା ଯିବ ତେବେ ଶକ୍ତି ପଟ୍ଟନାୟକଙ୍କୁ ଛାଡି ଦେଲେ ଅଧ୍ୟକ୍ଷ ଭାବେ ଅନ୍ୟ କାହାରି ପ୍ରଭାବ ଦେଖିବାକୁ ମିଳି ନାହିଁ। ଶ୍ରୀ ପଟ୍ଟନାୟକ ଦୁଇଥର ଏହି ପଦବୀରେ ଥିଲେ ମଧ୍ୟ କେବଳ ପ୍ରଥମ ଥର ବେଶ କିଛି ପ୍ରଭାବଶାଳି ଢଙ୍ଗରେ କାର୍ଯ୍ୟ କରି ପାରିଥିଲେ।

ଚଳିତ ଥର ଏହି ପଦବୀ ପାଇଁ ଯିଏ ସର୍ବାଧିକ ଚର୍ଚାରେ ଅଛନ୍ତି ସେ ହେଲେ ବରିଷ୍ଠ ବିଜେପି ନେତା ତଥା ଛେଣ୍ଡିପଦା ବିଧାନ ସଭା ପ୍ରଭାରୀ ଦିଲୀପ ପ୍ରଧାନ। ସେ ଗତ ପୌର ନିର୍ବାଚନରେ ନିଜଟତମ ପ୍ରତିଦ୍ବନ୍ଦୀ ଅକ୍ଷୟ ସାମନ୍ତଙ୍କ ଠାରୁ ମାତ୍ର ୯୬ ଖଣ୍ଡ ଭୋଟରେ ହାରିଯାଇଥିଲେ। ତାଙ୍କ ସାଙ୍ଗଠନିକ ଶକ୍ତି, ପାରିଷଦ ଭାବେ ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ, କାର୍ଯ୍ୟ ଓ ଦାୟିତ୍ୱ ପ୍ରତି ସମର୍ପିତ ଭାବ ଓ ନିଷ୍ଠା ଯୋଗୁଁ ସେ ଏହି ପଦବୀ ପାଇଁ ସବୁଠାରୁ ଅଧିକ ଦାବିଦାର ଭାବେ ଚର୍ଚାରେ ଅଛନ୍ତି। ଦ୍ଵିତୀୟରେ ଅଛନ୍ତି ଭକ୍ତି ପ୍ରସାଦ ଦାସ। ସେ ଅନୁଗୁଳର ପୂର୍ବତନ ନଗରପାଳ। ଢେଙ୍କାନାଳର ପୂର୍ବତନ ସାଂସଦ ତଥାଗତ ଶତପଥୀଙ୍କ ସେ ନୋମିନି ଭାବେ କାର୍ଯ୍ୟ କରିଛନ୍ତି। କିନ୍ତୁ ବିଜେଡିରେ କୋଣଠେସା ହେବା ପରେ ସେ ବିଜେପିରେ ଯୋଗଦାନ କରି ଦୃଢତାର ସହ ନିର୍ବାଚନ ପରିଚାଳନା କରିଥିଲେ। ଅନୁଗୁଳ ରାଜନୀତିରେ ଜଣେ ନରମ ପନ୍ଥୀ ନେତା ଭାବେ ସେ ଅଧିକ ପରିଚିତ। ସହର ଅପେକ୍ଷା ଗ୍ରାମାଞ୍ଚଳ ରାଜନୀତି ପରିଚାଳନାରେ ତାଙ୍କର ଅଧିକ ଦକ୍ଷତା ରହିଛି।

ଏହି ଦୁଇ ଜଣଙ୍କ ବ୍ୟତୀତ ଅନ୍ୟ ଯେଉଁ ମାନଙ୍କ ନାମ ଶୁଣିବାକୁ ମିଳୁଛି ସେମାନେ ହେଲେ ବରିଷ୍ଠ ବିଜେପି ନେତା ଯଯାତି ପଟନାୟକ ଏବଂ ବରିଷ୍ଠ ଶିକ୍ଷାବିତ୍ ମହେଶ ଧଳ। ଗତ ସାଧାରଣ ନିର୍ବାଚନରେ ବିଜେଡି ଏମଏଲଏ ଟିକେଟରୁ ବଞ୍ଚିତ ହେବାପରେ ବିଜେପିରେ ମିଶିଥିଲେ। ତେବେ ଏହି ସବୁ ଆଶାୟୀଙ୍କ ମଧ୍ୟରେ ଦଳ କାହାକୁ ବାଛୁଚି ସେକଥା ସମୟ ହିଁ କହିବ।