ମୁଖ୍ୟ ଖବର

ଧାମନଗର ଉପନିର୍ବାଚନରେ କାହିଁକି ହାରିଲା ବିଜେଡି ?

By Angul TV Bureau

November 07, 2022

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଦୀର୍ଘ ୨୨ ବର୍ଷ ଧରି ଅଭେଦ୍ୟ ଥିବା ବିଜୁ ଜନତା ଦଳ ଧାମନଗର ଉପନିର୍ବାଚନରେ ହାରିଛି। ଦଳ ପାଇଁ ଏହା ଏକ ଶକ୍ତ ଧକ୍କା କହିଲେ ଅତ୍ୟୁକ୍ତି ହେବନାହିଁ। ସବୁ ଉପନିର୍ବାଚନରେ ଜିତି ବିଜେଡି ଯେଉଁ ରେକର୍ଡ ସୃଷ୍ଟି କରିଥିଲା, ଧାମନଗର କ୍ଷେତ୍ରରେ ତାହାକୁ ଦୋହରାଇ ପାରିନି। ଧାମନଗର ନିର୍ବାଚନରେ ବିଜେପି ଜିତିବା ତୁଳନାରେ ବିଜେଡିର ପରାଜୟ ରାଜ୍ୟ ରାଜନୀତିରେ ଏବେ ସବୁଠୁ ଚର୍ଚ୍ଚାର ବିଷୟ ହୋଇଛି। ପ୍ରଥମ ଥର ପାଇଁ ଓଡ଼ିଶା ରାଜନୀତିରେ ଧାମନଗର ଉପନିର୍ବାଚନରେ ଫଳାଫଳ ମୋଡ଼ ବଦଳାଇଦେଇଛି। ବିଜେଡି ପ୍ରାର୍ଥୀ ଅପରାଜେୟ ନୁହନ୍ତି ତାହା ଧାମନଗର ନିର୍ବାଚନ ସ୍ପଷ୍ଟ ସଂକେତ ଦେଇଛି।

ତେବେ କ୍ରମାଗତ ଭାବେ ଜିତି ଆସୁଥିବା ବିଜେଡି ଧାମନଗର ଉପନିର୍ବାଚନରେ ହାରିଲା କାହିଁକି ? ସେଇ ପ୍ରଶ୍ନ ଏବେ ସବୁରି ମୁହଁରେ। ତେବେ କୁହାଯାଉଛି ଯେ ଅସୁନ୍ତଷ୍ଟ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିଜେଡିରୁ ଅଲଗା ହୋଇ ସ୍ୱାଧୀନ ଭାବେ ଲଢ଼ିବା ବିଜେଡି ହାରିବାର ପ୍ରମୁଖ କାରଣ। ରାଜେନ୍ଦ୍ରଙ୍କ ବଦଳରେ ଦଳ ଧାମନଗରରୁ ମହିଳା କାର୍ଡ ଖେଳିବା ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ନୂଆ ରେକର୍ଡ ସ୍ଥାପନ କରିବାକୁ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା। ଫଳରେ ରାଜେନ୍ଦ୍ର କ୍ଷୁବ୍ଧ ହୋଇ ସ୍ବାଧୀନ ଭାବେ ଲଢ଼ିଥିଲେ। ଫଳରେ ଭୋଟ ବାଣ୍ଟି ହୋଇଗଲା। ଏହି କାରଣରୁ ବିଜେଡିକୁ ପରାଜୟ ବରଣ କରିବାକୁ ପଡ଼ିଲା।

ବିଜେଡିରେ ପ୍ରାର୍ଥୀ ବାଛିବାରେ ଯେଉଁ ଦ୍ବନ୍ଦ୍ବ ଦେଖାଦେଲା ତାହା ବିଜେଡି ଭୋଟକୁ ପ୍ରଭାବିତ କଲା ବୋଲି ଆଲୋଚନା ଚାଲିଛି। ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ନେତାମାନେ ଭାବିଥିଲେ ଯେ ଦଳରୁ ବିଦା ହେବା ପରେ ରାଜେନ୍ଦ୍ର ବିଜେଡି ଭୋଟକୁ ପ୍ରଭାବିତ କରିପାରିବେ ନାହିଁ। କିନ୍ତୁ ଫଳ ଆସିଲା ବେଳକୁ ସବୁ ଓଲଟପାଲଟ ହୋଇଯାଇଥିଲା। ରାଜେନ୍ଦ୍ର ତୃତୀୟ ସ୍ଥାନରେ ଥିଲେ ବି ବେଶ୍ ମୋଟାଅଙ୍କର ଭୋଟ ହାତେଇବାରେ ସଫଳ ହୋଇଥିଲେ, ଯାହା ବିଜେଡି ଖାତାକୁ ଆସିଥାନ୍ତା ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପଟେ ବିଜେପିର କେନ୍ଦ୍ର ନେତାଙ୍କଠୁ ରାଜ୍ୟ ନେତା ପର୍ଯ୍ୟନ୍ତ ସମସ୍ତେ ଧାମନଗରରେ ଡେରା ପକାଇ ଥିଲେ। କେନ୍ଦ୍ରର ବଡ଼ ବଡ଼ ଭାଷଣ ବି କେତେକାଂଶରେ ଭୋଟରଙ୍କୁ ପ୍ରଭାବିତ କରିଥିଲା। ଫଳ ସ୍ୱରୂପ ଓଡ଼ିଶା ରାଜନୀତିରେ ଓଲଟା ଗଙ୍ଗା ବୋହିଛି। ତେବେ ଆଗାମୀ ନିର୍ବାଚନ ପାଇଁ ବିଜେଡିର ନେତାଙ୍କ ଲାଗି ଏହା ଏକ ଶିକ୍ଷା ହେବ ବୋଲି କୁହାଯାଉଛି।