ଅନୁଗୋଳ: ଅନୁଗୋଳ ସହରରେ ଘରୋଇ ରନ୍ଧନ ଗ୍ୟାସର ଅବୈଧ ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। ସହରର ବିଭିନ୍ନ ମନ୍ଦିର ନିକଟରେ ଚାଲିଥିବା ଅନ୍ନପ୍ରସାଦ ବ୍ୟବସାୟ ଏବଂ ଶତାଧିକ ଜଳଖିଆ ଦୋକାନରେ ଘରୋଇ ଗ୍ୟାସ ସିଲିଣ୍ଡରର ବ୍ୟାପକ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି।
ସରକାରଙ୍କ ନିୟମାନୁଯାୟୀ ୪୫ ଦିନ ବ୍ୟବଧାନରେ ଗ୍ରାହକଙ୍କୁ ଘରୋଇ ଗ୍ୟାସ ଯୋଗାଇ ଦିଆଯାଉଥିବା ବେଳେ, ଏହି ବ୍ୟବସାୟୀମାନେ ପ୍ରତିଦିନ ୪ ରୁ ୫ଟି ସିଲିଣ୍ଡର କେମିତି ପାଉଛନ୍ତି, ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାଧାରଣ ଉପଭୋକ୍ତାମାନେ ସଠିକ୍ ଭାବେ ଗ୍ୟାସ ପାଉନଥିବା ସମୟରେ, ବାଣିଜ୍ୟିକ କାର୍ଯ୍ୟରେ ଘରୋଇ ସିଲିଣ୍ଡରର ଏପରି ବ୍ୟାପକ ଅପବ୍ୟବହାର ଗ୍ୟାସ ବାଟମାରଣା ହେଉଥିବାର ସ୍ପଷ୍ଟ ପ୍ରମାଣ ଦେଉଛି।
ସାଧାରଣ ଜନତାଙ୍କ ହକ୍ର ଗ୍ୟାସ ଏଭଳି ବ୍ୟବସାୟିକ ପ୍ରତିଷ୍ଠାନକୁ କିପରି ଯାଉଛି, ସେନେଇ ଜିଲ୍ଲା ଯୋଗାଣ ଅଧିକାରୀ (CSO)ଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ପ୍ରଶାସନ ଏହି ବେଆଇନ କାର୍ଯ୍ୟକଳାପ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।