ଅନୁଗୁଳ: ବିବାହକୁ ୫ ସପ୍ତାହ ବି ପୂରିନି । ହେଲେ ସ୍ଵାମୀର ହାତ ଛାଡ଼ି ପ୍ରେମିକ ସହ ପାର୍ ହୋଇଗଲେ ମହିଳା। ବିକ୍ରମପୁର ଥାନା ଇଲାକା ବଡ଼ଯୋରଡା ଅଞ୍ଚଳରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ୍ ସୂଚନା ମୁତାବକ, ବଡ଼ଯୋରଡା ଅଞ୍ଚଳର ଜଣେ ଯୁବକ ଗତ ଏପ୍ରିଲ୍ ୬ ତାରିଖ ଦିନ ପାଖ ଗାଁର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ବିବାହ କରିଥିଲେ । ୧୭ ତାରିଖରେ ନବ ବଧୂ ତାଙ୍କ ବାପଘରକୁ ଯିବା ପରେ ୨୪ ତାରିଖରେ ଶ୍ୱଶୁର ଘରକୁ ବାହୁଡ଼ିଥିଲେ । ତେବେ ଗତ ୮ ତାରିଖ ରାତିରେ ମହିଳା ତାଙ୍କ ପ୍ରେମିକଙ୍କ ସହ ଚମ୍ପଟ ମାରିଛନ୍ତି। ନିଜ ସ୍ତରରେ ବହୁ ଖୋଜାଖୋଜି କରିବା ପରେ ପତ୍ନୀକୁ ଖୋଜି ଆଣିବାକୁ ସ୍ୱାମୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏତଲା କ୍ରମେ ପୁଲିସ୍ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।