ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ରେଞ୍ଜ ଅନ୍ତର୍ଗତ ବଡ଼କାଠିଆ ସଂରକ୍ଷିତ ଜଙ୍ଗଲରେ ବନ୍ୟପ୍ରାଣୀ ଶିକାର ଅଭିଯୋଗରେ ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ରବିବାର ଭୋର ପ୍ରାୟ ୫ଟା ସମୟରେ କୁମୁଣ୍ଡା ବିଟ୍ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ବନ ବିଭାଗ ଟିମ୍ ଦୁଇଜଣ ଶିକାରୀଙ୍କୁ କାବୁ କରିଛି।ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସାନତ୍ରିବିଡ଼ା ଗ୍ରାମର ଭରତ ସାହୁ ଓ କ୍ଷୀର ଭୂତିଆ। ସେମାନଙ୍କ ନିକଟରୁ ଏକ ମାଈ ବାରହାର ମୃତଦେହ ସମେତ ୧୨ଟି ହାତତିଆରି ବିସ୍ଫୋରକ ବୋମା ଓ ୨ଟି କୁରାଢ଼ୀ ଜବତ କରାଯାଇଛି। ପଚରାଉଚରା ବେଳେ ଅଭିଯୁକ୍ତମାନେ ବୋମା ସାହାଯ୍ୟରେ ଶିକାର କରିଥିବା ସ୍ୱୀକାର କରିଛନ୍ତି।
ଏହି ମାମଲାରେ ବନ ବିଭାଗ ପକ୍ଷରୁ OR Case No. 1K (2026-27) ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ତାଳଚେର SDJM କୋର୍ଟକୁ ଚାଲାଣ କରାଯାଇଛି।
ବନପାଳ ଦୀପକ କୁମାର ସେଠୀଙ୍କ ନେତୃତ୍ୱରେ ଦୀପକ କୁମାର ସାହୁ, ସଂସାର ସାହୁ, ପବିତ୍ର ମୋହନ ପ୍ରଧାନ, ଧ୍ରୁବଚରଣ ସାହୁ, ଅନିରୁଦ୍ଧ ପ୍ରଧାନ ଓ ଧୁଳେଶ୍ୱର ବେହେରା ଏହି ଅପରେସନରେ ସାମିଲ ଥିଲେ। ବନ୍ୟପ୍ରାଣୀ ସୁରକ୍ଷା କ୍ଷେତ୍ରରେ ବନ ବିଭାଗର ଏହି ଶୂନ୍ୟ ସହନଶୀଳତା ନୀତିକୁ ସାଧାରଣରେ ପ୍ରଶଂସା କରାଯାଇଛି।